ପୁରୀ: ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଟ୍ରେନ୍। ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି। ପୁରୀ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ ଷ୍ଟେସନରେ ପ୍ରବେଶ ବେଳେ ୩ ନଂ ପ୍ଲାଟଫର୍ମ ନିକଟରେ ଏହି ଅଘଟଣ ଘଟିଛି। ଟ୍ରେନ୍ ଧୀର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ କୌଣସି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇନାହିଁ।
ହଠାତ୍ ଟ୍ରେନ୍ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ତେବେ ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି। ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ବଢ଼ାଯାଇଛି। ଲାଇନଚ୍ୟୁତ ହୋଇଥିବା ଟ୍ରେନ୍କୁ ସ୍ୱାଭାବିକ ଭାବେ ଟ୍ରାକ୍ରେ ଆଣିବା ଏବଂ ରେଳ ଚଳାଚଳକୁ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ଟ୍ରେନ୍ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଷ୍ଟେସନ୍ଠାରୁ ଏତେ ନିକଟରେ ଏହି ଘଟଣା ଘଟିଥିବାରୁ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଥିବା କୁହାଯାଉଛି।
