Latest Odisha News

BREAKING NEWS

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀକୁ ଟାର୍ଗେଟ, ହାଇକୋର୍ଟ ସମେତ ୬ଟି ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି ସ୍ୱାଧିନତା ଦିବସ। ଆଉ ଏହାର ଦିନକ ପୂର୍ବରୁ ଆସିଛି ଧମକପୂର୍ଣ୍ଣ ମେଲ୍। ଆସନ୍ତାକାଲି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି। ଦିଲ୍ଲୀର ୬ଟି ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ହାଇକୋର୍ଟ, ବିମାନ ବନ୍ଦର ସମେତ ୬ଟି ସ୍ଥାନକୁ ମିଳିଛି ବୋମା ଧମକ।

‘30 MB Blast at the Delhi High Court’, ଶୀର୍ଷକ ଥିବା ଇମେଲ୍‌ରେ ଦିନ ୨ଟା ୧୧ ମିନିଟ୍‌ରେ ବିସ୍ଫୋରଣ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ଖଲିସ୍ତାନ ନାମରେ ପଠାଯାଇଥିବା ଏହି ଇମେଲ୍‌ରେ ସହରର ଅନେକ ସ୍ଥାନକୁ ବିସ୍ଫୋରଣ ଉଡ଼େଇ ଦେବାକୁ ଯୋଜନା ରହିଥିବା ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ରେ ଦିଲ୍ଲୀକୁ ଖଲିସ୍ତାନରେ ପରିଣତ କରାଯିବାକୁ ଧମକ ଦିଆଯାଇଛି। ଇମେଲ ଅନୁଯାୟୀ ଶନିବାର ଅପରାହ୍ଣ ୨ଟା ୧୧ ମିନିଟରେ ଦିଲ୍ଲୀ ହାଇକୋର୍ଟରେ ବୋମା ବିସ୍ଫୋରଣ ହେବ ଓ ଏହାର ଘଣ୍ଟାକ ପରେ ଜିଲ୍ଲା କୋର୍ଟରେ ବିସ୍ଫୋରଣ ହେବ ବୋଲି ଉଲ୍ଲେଖ ହୋଇଛି । ଦିଲ୍ଲୀ କୋର୍ଟରେ କେବଳ ଶିଖ୍‌ଙ୍କ ବିରୋଧ‌ରେ ମାମଲାର ଶୁଣାଣି ହେଉଛି ବୋଲି ଏଥିରେ କୁହାଯାଇଛି। ୧୯୮୪ ଶିଖ୍‌ ଦଙ୍ଗା କଥା ମଧ୍ୟ ରହିଛି।

ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସଚିବ କୁନାଲ ମଲହୋତ୍ରା କହିଛନ୍ତି ଯେ, “ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।”ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ଆଉ ୫ଟି ସ୍ଥାନକୁ ବୋମା ଧମକ ମିଳିଛି। ସମସ୍ତ ସ୍ଥାନକୁ ଅଗ୍ନିଶମ ବାହିନୀର ଗାଡ଼ି ପଠାଯାଇଥିଲା। ଜାମନଗର ହାଉସ୍, ଝଣ୍ଡେୱାଲାନ୍ କୋଠା, ସାକେତ କାର୍ଯ୍ୟାଳୟ, ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୩ ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ ସମେତ ଛଅଟି ସ୍ଥାନରେ ବୋମା ବିସ୍ଫୋରଣ କରାଯିବାକୁ ମଧ୍ୟ ଧମକ ଦିଆଯାଇଛି। ଦିଲ୍ଲୀ ମେଟ୍ରୋ ଓ ଅମ୍ବାଲା ଯାଉଥିବା ଟ୍ରେନଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦିଆଯାଇଛି। ସମସ୍ତ ସ୍ଥାନକୁ ଅଗ୍ନିଶମ ଗାଡି ପଠାଯାଇଛି। ଏପର୍ଯ୍ୟନ୍ତ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ।

Leave A Reply

Your email address will not be published.