କାବୁଲ: ଆଫଗାନ ଅଧିକାରୀମାନେ ବଗରାମ ଏୟାରବେସ୍ କୁ ପୁନଃ ଦଖଲ କରିବା ପାଇଁ ଆମେରିକାର ଧମକକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ଜୋର ଦେଇଛନ୍ତି ଯେ ସେଠାରେ ବିଦେଶୀ ସାମରିକ ଉପସ୍ଥିତି ପୁନଃସ୍ଥାପିତ କରିବାର ଯେକୌଣସି ପ୍ରୟାସକୁ ଦୃଢ଼ ବିରୋଧ କରାଯିବ।
ଗୁଇନ୍ଦା ନିର୍ଦ୍ଦେଶାଳୟ ଜେନେରାଲ ଡାଇରେକ୍ଟରେଟ୍ର ପ୍ରଥମ ଡେପୁଟି ମୁଲ୍ଲା ତାଜମିର ଜାୱାଦ ଆମେରିକାର ରଣନୈତିକ ଏୟାରଫିଲ୍ଡ ପୁନଃକବଜା ଘୋଷଣାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଫଗାନ ସରକାର ବର୍ତ୍ତମାନର ବ୍ୟବସ୍ଥା ବଜାୟ ରଖିବ। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଗଣମାଧ୍ୟମକୁ କହିଛନ୍ତି,”ଆମର ଉତ୍ତର ହେଉଛି, ଯଦି ତମେ ଏଠାରୁ ନ ଯାଅ ଏବଂ ବିମାନବନ୍ଦର ଚାହୁଁଛ, ତେବେ ଆମେ ଆଗାମୀ ୨୦ ବର୍ଷ ପାଇଁ ତମ ସହିତ ଲଢ଼ିବାକୁ ପ୍ରସ୍ତୁତ।”
ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ରାଜନୈତିକ ନିର୍ଦ୍ଦେଶକ ଜାକିର ଜଲାଲି କହିଛନ୍ତି ଯେ, ଆଫଗାନମାନେ “ସେମାନଙ୍କ ଅଞ୍ଚଳରେ କେବେ ବିଦେଶୀ ସୈନ୍ୟଙ୍କୁ ଗ୍ରହଣ କରିନାହାଁନ୍ତି”। ସେ ଏହା ମଧ୍ୟ କହିଛନ୍ତି ଯେ, ୱାଶିଂଟନ ସହିତ କୌଣସି ଆଲୋଚନାରେ ବଗରାମ ଏୟାରବେସକୁ ସାମିଲ କରାଯିବା ଉଚିତ୍ ନୁହେଁ।
ସୂଚନଥାଉକି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେବା ସହିତ ବଗରାମ ଏୟାରବେସକୁ ଆମେରିକାକୁ ଫେରାଇବା ବିଷୟରେ କହିଥିଲେ। ଶୁକ୍ରବାର ଦିନ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ କହିଥିଲେ ଯେ ଏହି ପ୍ରସଙ୍ଗରେ ଆଫଗାନିସ୍ତାନ ସହିତ ଆଲୋଚନା ଚାଲିଛି।
ସୂଚନାଥାଉକି,କାବୁଲରୁ ୫୦ କିଲୋମିଟର ଉତ୍ତରରେ ଅବସ୍ଥିତ ବଗରାମ ଏୟାରବେସ୍ । ଏହା ଆଫଗାନିସ୍ତାନରେ ଆମେରିକୀୟ ସୈନିକଙ୍କ ପାଇଁ ମୁଖ୍ୟ ସାମରିକ ଘାଟି ଭାବରେ କାର୍ଯ୍ୟ କରିଥିଲା । ୨୦୨୧ ମସିହାରେ ଆମେରିକୀୟ ସେନା ପ୍ରତ୍ୟାହାର ପରେ, ତାଲିବାନ ଆଫଗାନିସ୍ତାନର ସବୁଠାରୁ ବଡ଼ ଆମେରିକୀୟ ସାମରିକ ଘାଟି ବଗରାମ ଏୟାରବେସକୁ କବଜା କରିଥିଲା।
Comments are closed.