Latest Odisha News

BREAKING NEWS

ରାଜ୍ୟ ସହ ରାଜ୍ୟପାଳଙ୍କ ଲଢ଼େଇ!

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକ ଏବେ ସାମ୍ବିଧାନିକ ସଂସ୍ଥା ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ଉଦେଶ୍ୟମୂଳକ ଭାବେ ବିରୋଧୀଙ୍କ ଉପରେ ବିଭିନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଚଢ଼ାଉ କରାଯିବା ଅଭିଯୋଗ ହୋଇଆସୁଛି।

ବିରୋଧୀଙ୍କ ସ୍ୱର ଚାପିବା ପାଇଁ କେନ୍ଦ୍ରର ବିଜେପି ସରକାର ଏଭଳି କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। କିନ୍ତୁ ଆଇନ ଅନୁଯାୟୀ ସବୁ କରାଯାଉଥିବା ବିଜେପି କହିବା ସହ ଯେଉଁମାନେ ଦୁର୍ନୀତିଗ୍ରସ୍ତ ସେମାନେ ଡରରେ ଅଛନ୍ତି ବୋଲି ଦଳୀୟ ନେତାମାନେ କହିଛନ୍ତି।

ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଲଢେ଼ଇ ତୀବ୍ର ହୋଇଛି। ପୂର୍ବରୁ ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କେରଳ ଆଦି ରାଜ୍ୟରେ ଏଭଳି ଲଢେଇ ଦେଖିବାକୁ ମିଳିଛି।

କିଛି ଦିନ ତଳେ ତାମିଲନାଡୁରେ ଡିଏମକେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ବିଲକୁ ବହୁ ଦିନ ଧରି ପକେଇ ରଖିବା ପ୍ରସଙ୍ଗକୁ ନେଇ ଲଢେଇ ଦେଖିବାକୁ ମିଳିଥିଲା। ଏବେ ତେଲେଙ୍ଗାନା ରାଜ୍ୟ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟପାଳ ମାନେ ରାଜ୍ୟ ସରକାର ପଠାଉଥିବା ବିଲ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ଓ ଜଷ୍ଟିସ ପିଏସ ନରସିଂହଙ୍କ ଖଣ୍ଡପୀଠ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କୋର୍ଟ ଏ କଥା କହିଛନ୍ତି।

ଯେଉଁ ବିଲ ଗୁଡିକ ଉଭୟ ସଦନ ଦ୍ଵାରା ପାସ ହୋଇ ଆସିଛି ସେସବୁକୁ ରାଜ୍ୟପାଳ ମାନେ ଯଥାଶୀଘ୍ର ଅନୁମୋଦନ କରିବେ, ଫେରାଇବେ କିମ୍ବା ବିଚାର ପାଇଁ ଏହାକୁ ରଖାଯାଉଛି ବୋଲି ଜଣାଇବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଲ ଉପରେ ମୋହର ମାରିବାକୁ ରାଜ୍ୟପାଳ ଅଯଥା ବିଳମ୍ବ କରୁଛନ୍ତି ବୋଲି ତେଲେଙ୍ଗାନା ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଏପରିକି ବିଜେପି ଶାସିତ ରାଜ୍ୟଗୁଡିକରେ ଏଭଳି ହେଉ ନ ଥିବା ବେଳେ ଅଣବିଜେପି ଶାସିତ ରାଜ୍ୟରେ ଏ ସବୁ ହେଉଥିବା ଅଭିଯୋଗ ହୋଇଛି। ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ଓ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ମଧ୍ୟରେ ଲଢେ଼ଇ ହେଉଥିବାରୁ ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି।

Comments are closed.