Latest Odisha News

ଥମୁନି ଭାଷା ବିବାଦ: ବଜେଟରେ ଟଙ୍କା ପ୍ରତୀକକୁ ବଦଳାଇଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ହିନ୍ଦୀ ଭାଷାକୁ ନେଇ ଲଢ଼େଇ ଥମିବାର ନାଁ ନେଉନାହିଁ । ଯାହାକୁ ନେଇ ଏବେ ବାଦ ବିବାଦ ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ତାମିଲନାଡୁରେ ହିନ୍ଦୀରେ ଟଙ୍କାର ପ୍ରତୀକ ‘₹’ ହଟାଇ ଦେଇଛନ୍ତି । ଏହାକୁ ରୁ(ଟଙ୍କାର ପ୍ରତୀକ ‘₹’ )ରୁ ରୁବାଇ(ତାମିଲରେ ଟଙ୍କା ‘ரூ’) କରିଦେଇଛନ୍ତି । ଏହା ପରେ ଅଧିକ ତେଜିଛି ଏହି ଭାଷା ବିବାଦ ।

ତାମିଲନାଡୁ ସରକାରଙ୍କ ଦ୍ୱାରା ୨୦୨୫-୨୬ ବଜେଟ୍ ପାଇଁ ପ୍ରସ୍ତୁତ ପ୍ରଚାର ସାମଗ୍ରୀରେ, ‘ଟଙ୍କା’ ପ୍ରତୀକକୁ ତାମିଲ ଅକ୍ଷର ସହିତ ବଦଳାଇ ଦେଇଛନ୍ତି । ଏନେଇ ପୋଷ୍ଟର ଜାରି ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସକାଳେ ଏହାକୁ ବିଧାନସଭାରେ ଉପସ୍ଥାପିତ କରାଯିବ । କୁହାଯାଉଛି ଯେ, ହିନ୍ଦୀ ବର୍ଣ୍ଣମାଳାକୁ ତାମିଲ ବର୍ଣ୍ଣମାଳା ସହିତ ମଧ୍ୟ କାଳେ ବଦଳାଯାଇଛି ।

ଯାହାକୁ ଡିଏମକେ ସରକାର ଏହି ପରିବର୍ତ୍ତନକୁ ତାମିଲ ଭାଷା ପ୍ରତି ସମ୍ମାନ ଭାବରେ କହି ଉପସ୍ଥାପନ କରିଥିବା ବେଳେ ବିରୋଧୀ ଏହାକୁ ଜାତୀୟ ପ୍ରତୀକ ପ୍ରତି ଅସମ୍ମାନ ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ତାମିଲନାଡୁ ବିଜେପି ସଭାପତି ଅନ୍ନାମଲାଇ ରାଜ୍ୟ ବଜେଟରୁ ଟଙ୍କା ପ୍ରତୀକ ହଟାଇବା ପାଇଁ ଡିଏମକେ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ଏହି ପଦକ୍ଷେପକୁ ମୂର୍ଖତାପୂର୍ଣ୍ଣ ବୋଲି କହିଛନ୍ତି । ବିଜେପି ନେତା ଆନ୍ନାମାଲାଇ ତାଙ୍କ ଏକ୍ସରେ ଲେଖିଛନ୍ତି, ତାମିଲନାଡୁ ସରକାରଙ୍କ ୨୦୨୫-୨୬ ବଜେଟରେ ଟଙ୍କା ପ୍ରତୀକକୁ ହଟାଇ ଦେଇଛନ୍ତି । ଯାହାକୁ ଜଣେ ତାମିଲ ବ୍ୟକ୍ତି ଡିଜାଇନ୍ କରିଥିଲେ ଏବଂ ସମଗ୍ର ଭାରତ ଏହାକୁ ଗ୍ରହଣ କରିଥିଲେ । ଏହି ପ୍ରତୀକ ଡିଜାଇନ୍ କରିଥିଲେ ପୂର୍ବତନ ଡିଏମକେ ବିଧାୟକଙ୍କ ପୁଅ ଉଦୟ କୁମାର । ତୁମେ କେତେ ମୂର୍ଖ ହୋଇପାର ଏମକେ ଷ୍ଟାଲିନ୍ ବୋଲି କହିଛନ୍ତି ବିଜେପି ନେତା ।

ଅନ୍ୟପଟେ, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏହାକୁ ତାମିଲମାନଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ଜଣେ ଭାରତୀୟ ଶିକ୍ଷାବିତ୍ ଏବଂ ଡିଜାଇନର ଉଦୟ କୁମାର, ଜଣେ ପୂର୍ବତନ ଡିଏମକେ ବିଧାୟକଙ୍କ ପୁଅ । ସେ ଏହି ଭାରତୀୟ ଟଙ୍କାର ପ୍ରତୀକ ଡିଜାଇନ୍ କରିଥିଲେ ।  ଯାହାକୁ ସାରା ଭାରତରେ ଗ୍ରହଣ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତାମିଲନାଡୁ ବଜେଟ ଡକ୍ୟୁମେଣ୍ଟରୁ ଏହି ପ୍ରତୀକକୁ ହଟାଇ ଦେଇ ତାମିଲମାନଙ୍କ ପ୍ରତି ଅପମାନ କରିଛନ୍ତି ।

Leave A Reply

Your email address will not be published.