ଚେନ୍ନାଇ: ଦେଶ ସ୍ୱାଧୀନ ହେବାକୁ ୭ ଦଶନ୍ଧି ପୂରଣ ହୋଇସାରିଛି। ହେଲେ ଦେଶରୁ ଜାତି ପ୍ରଥା ଭଳି କୁତ୍ସିତ ବ୍ୟବସ୍ଥା ଲୋପ ପାଇ ପାରିନାହିଁ। ସଦ୍ୟ ଏହାର ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି। ଅଭିଭାବକମାନେ ନିଜର ପିଲାଙ୍କୁ ଦଳିତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ଖାଇବାକୁ ବାରଣ କରିଛନ୍ତି। ଯାହାପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମାଗଣା ଜଳଖିଆ ଯୋଜନାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।
ଘଟଣାଟି ହେଉଛି କଋର ଜିଲ୍ଲା ଭେଲଞ୍ଚଟୁୟୁରର ଏକ ପଞ୍ଚାୟତ ସଂଘ ସରକାରୀ ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟରେ ଦଳିତ ମହିଳା ଜଳଖିଆ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦିଅନ୍ତି। ହେଲେ ମହିଳା ଜଣଙ୍କ ଦଳିତ ଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପାଚିକା ସୁମତିଙ୍କ ଦ୍ୱାରା ରନ୍ଧା ହୋଇଥିବା ଜଳଖିଆ ଖାଇବାକୁ ଆପତ୍ତି କରିଥିଲେ।
ଏହି ଖବର ଶୁଣି କଋର ଜିଲ୍ଲାପାଳ ପ୍ରଭାସ ଶଙ୍କର ବିଦ୍ୟାଳୟ ପରିଦର୍ଶନ କରି ସେହି ଦଳିତଙ୍କ ହାତ ରନ୍ଧା ଜଳଖିଆ ଖାଇଥିଲେ। ଯେଉଁ ଅଭିଭାବକ ଜଳଖିଆ ଖାଇବାକୁ ପିଲାଙ୍କୁ ବାରଣ କରିଥିଲେ ସେହି ଅଭିଭାବକଙ୍କୁ ଜିଲ୍ଲାପାଳ ଡକାଇ ଉଚିତ୍ ଶିକ୍ଷା ଦେଇଥିଲେ। ଅନୁସୂଚିତ ଜାତି ଏବଂ ଜନଜାତି ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଜିଲ୍ଲାପାଳ।
ଯଦିଓ ଏହି ଘଟଣା ପରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ପାଚିକାଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ଖାଇବାକୁ ରାଜି ହୋଇଥିଲେ, କିନ୍ତୁ ଅନ୍ୟ କିଛି ଅଭିଭାବକ ଏହି ଘଟଣାକୁ ନେଇ ବିରୋଧ ମଧ୍ୟ କରିଥିଲେ। ଏହାକୁ ନେଇ ବିରୋଧ ତେଜିବା ପରେ ସମସ୍ତଙ୍କୁ ପୋଲିସ ଡାକି କଡ଼ା ଚେତାବନୀ ଦେଇଥିଲା। ଏହାପରେ ମାମଲାଟି ବର୍ତ୍ତମାନ ଶାନ୍ତ ହୋଇଛି।
Comments are closed.