Latest Odisha News

ଓଡ଼ିଶାର ତପନ ମିଶ୍ରଙ୍କୁ ‘ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର’

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱୀକୃତୀପ୍ରାପ୍ତ ଟୁରିଷ୍ଟ ଗାଇଡ଼ ତପନ କୁମାର ମିଶ୍ରଙ୍କୁ ୨୦୧୭-୧୮ ବର୍ଷ ଲାଗି ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି । ଦୀର୍ଘ ୨୩ ବର୍ଷ ଧରି ଶହ ଶହ ବିଦେଶୀ ପର୍ଯ୍ୟଟକମାନଙ୍କୁ ଦେଶର ସାଂସ୍କୃତିକ ଦୂତ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଅନେକ ସମୟରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂସ୍ଥାର ମହାସଚିବ ଜୁରାବ ପୋଲୋଲି କାଶିବି ଶ୍ରୀ ମିଶ୍ରଙ୍କୁ ‘ବେଷ୍ଟ୍ ଟୁରିଷ୍ଟ ଗାଇଡ଼ ଅଫ ଇଣ୍ଡିଆ’ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ତାଙ୍କର ପତ୍ନୀ ଜାଗୃତି ମହାନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀ ମିଶ୍ର ବିଭିନ୍ନ ରାଜ୍ୟର ପ୍ରାୟ ୬୫୦ଟି ପର୍ଯ୍ୟଟନସ୍ଥଳୀକୁ ଗସ୍ତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଦେଶର ସଂସ୍କୃତି, ଐତିହ୍ୟ, ପ୍ରାକୃତିକ, ଦୁଃସାହସିକ ତଥା ଆଦିବାସୀ ପର୍ଯ୍ୟଟନର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ ଲାଗି କେନ୍ଦ୍ର ସରକାର ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଶ୍ରୀ ମିଶ୍ର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ଗ୍ରାମର ସ୍ୱର୍ଗତଃ ପଣ୍ଡିତ ନଟବର ମିଶ୍ର ଏବଂ କେଶୀବାଳା ମିଶ୍ରଙ୍କ ସନ୍ତାନ ।

Leave A Reply

Your email address will not be published.