Latest Odisha News

ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦରେ ନୂଆ ଭିଡିଓ ଟ୍ୱିଷ୍ଟ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଭିନ୍ନ ମୋଡ଼ ନେଇଛି । ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି ରହିଥିବା ବେଳେ ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଭିଡିଓରେ ଉଭୟଙ୍କ ମଧ୍ୟରେ ତିକ୍ତତା ଓ କଥା କଟାକଟି ବି ଶୁଣିବାକୁ ମିଳିଛି । ଏପରିକି ତପସ୍ୱିନୀ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସାମନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର । ସୁମିତଙ୍କ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏମ୍‌ବିବିଏସ୍ କୋର୍ସ ପାଇଁ ୮ ଲକ୍ଷ ଦେବାକୁ ତାଙ୍କ ବାପାଙ୍କୁ ସୁମିତଙ୍କ ବାପା କହିଥିଲେ । ଗାଈ ବିକି ତାଙ୍କ ବାପା ୮ ଲକ୍ଷ ଟଙ୍କା ସୁମିତଙ୍କ ପରିବାରକୁ ଦେଇଥିଲେ ।

ଟଙ୍କା ନେବା ପରେ ଡିଭୋର୍ସ ପାଇଁ ଯୋଜନା କରିଥିଲେ । ସେମାନେ ନେଇଥିବା ୮ ଲକ୍ଷ ଟଙ୍କା ପ୍ରଥମେ ଫେରାନ୍ତୁ ବୋଲି କହିଥିବା ସ୍ପଷ୍ଟୀକରଣରେ କହିଛନ୍ତି ତପସ୍ୱିନୀ । ତେବେ ଏନେଇ ସୁମିତ କିମ୍ବା ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ତମ୍ବୁ ତଳେ ଦିନ ରାତି କାଟୁଛନ୍ତି ତପସ୍ୱିନୀ । ଶୀତ କାକରରେ ପଡ଼ି ରହିଛନ୍ତି । ୩ ଦିନ ବସି ରହିବା ପରେ କାଲି ସେ ସେଠାରେ ରୋଷେଇ କରିଥିଲେ । ତପସ୍ୱିନୀ କହିଛନ୍ତି, କୋର୍ଟରେ ମାମଲା ଚାଲିଥିବାରୁ ନିଜ ଅଧିକାର ଫେରି ନପାଇବା ଯାଏ ଧାରଣା ଜାରି ରଖିବେ । ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦର ଶୁଣାଣି ରହିଛି ।

Leave A Reply

Your email address will not be published.