ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା ପରେ ଟାଟା ଗ୍ରୁପ୍ ବର୍ତ୍ତମାନ ଆଉ ଏକ ବଡ଼ କାରଣ ପାଇଁ ଚର୍ଚ୍ଚାରେ ଅଛି । ଭାରତୀୟ ସୁପର ଲିଗର ପ୍ରମୁଖ ଫୁଟବଲ୍ କ୍ଲବ୍ ‘ଜାମସେଦପୁର ଏଫସି’କୁ ଟାଟା ଷ୍ଟିଲ୍ ମାତ୍ର ୧୦୦ ଟଙ୍କାରେ ବିକ୍ରି କରିଦେଇଛି । ଗତ ୯ ବର୍ଷ ଧରି ଟାଟା ଷ୍ଟିଲ୍ ଅଧୀନରେ ଥିବା ଏହି କ୍ଲବ୍ ଏବେ ଚର୍ଚ୍ଚିଲ୍ ବ୍ରଦର୍ସ ସ୍ପୋର୍ଟସ୍ କ୍ଲବର ଅଂଶ ହେବାକୁ ଯାଉଛି । ଜାମସେଦପୁର ଫୁଟବଲ୍ ଆଣ୍ଡ୍ ସ୍ପୋର୍ଟିଂ ପ୍ରାଇଭେଟ୍ ଲିମିଟେଡ ରେ ଥିବା ଟାଟା ଷ୍ଟିଲ୍ର ୧୦୦% ଅଂଶଧନ (ପ୍ରାୟ ୪.୦୮ କୋଟି ସେୟାର) ମାତ୍ର ୧୦୦ ଟଙ୍କାରେ ବିକ୍ରି କରାଯାଇଛି । କିଛି ସପ୍ତାହ ପୂର୍ବରୁ ଟାଟା ଷ୍ଟିଲ୍ ଆଇଏସଏଲରୁ ଓହରିବା ପାଇଁ ଘୋଷଣା କରିଥିଲା ।
ଚର୍ଚ୍ଚିଲ୍ ବ୍ରଦର୍ସକୁ ଆଇଏସଏଲ ଲାଇସେନ୍ସ ସହିତ କ୍ଲବ୍ରେ ଥିବା ସମସ୍ତ ୧୨ ଜଣ ଖେଳାଳି ଏବଂ ୨ ଜଣ କୋଚ୍ଙ୍କ ଚୁକ୍ତି ମଧ୍ୟ ହସ୍ତାନ୍ତର କରାଯିବ । ଏଣିକି ଏହି କ୍ଲବ୍ ଜାମସେଦପୁର ପରିବର୍ତ୍ତେ ଗୋଆରୁ ପରିଚାଳିତ ହେବ । ଗତ ୩୮ ବର୍ଷ ଧରି ସକ୍ରିୟ ଥିବା ଗୋଆର ‘ଚର୍ଚ୍ଚିଲ୍ ବ୍ରଦର୍ସ’ ଏଯାଏଁ ଆଇ ଲିଗ ଖେଳୁଥିଲା, କିନ୍ତୁ ଏବେ ଏହା ଆଇଏସଏଲରେ ଡେବ୍ୟୁ କରିବ । ଏହି ଡିଲ୍କୁ ଏଯାଏଁ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘର ମଞ୍ଜୁରୀ ମିଳିନାହିଁ । ଆଶା କରାଯାଉଛି ଯେ ଅଗଷ୍ଟ ୩୧ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଯିବ ।୨୦୧୭ ମସିହାରେ ଟାଟା ଷ୍ଟିଲ୍ ଏକ ନୂଆ ଫ୍ରାଞ୍ଚାଇଜି କିଣିବା ସହ ‘ଜାମସେଦପୁର ଏଫସି’ ର ଆରମ୍ଭ କରିଥିଲା । ଗତ ୮ ବର୍ଷର ଯାତ୍ରା ମଧ୍ୟରେ ଏହି କ୍ଲବ୍ ୨୦୨୧-୨୨ ସିଜିନ୍ରେଆଇଏସଏଲ ପଏଣ୍ଟ ଟେବୁଲର ଶୀର୍ଷରେ ରହି ଐତିହାସିକ ‘ଲିଗ୍ ସିଲ୍ଡ’ ଜିତିବାର ଗୌରବ ଅର୍ଜନ କରିଥିଲା ।
