Latest Odisha News

BREAKING NEWS

ରାଜ୍ୟର ଶିକ୍ଷକମାନେ ଆଉ ପାଇବେନି ଖରାଛୁଟି !

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି । ଶିକ୍ଷାର ମାନବୃଦ୍ଧି କରିବା ଲାଗି ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ଯୋଜନା ଗୁଡ଼ିକ ସୁଚାରୁରୂପେ ପରିଚାଳିତ ହେବ ସେଥିଲାଗି ସଫଳ ୫ଟି ପଦ୍ଧତିକୁ ଆପଣେଇ ନେଇଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ସରକାରୀ ଶିକ୍ଷକମାନେ ଆଉ ଖରାଛୁଟି ପାଇବେ ନାହିଁ ।

ରାଜ୍ୟର ସବୁ ସରକାରୀ ଚାକିରିଆ ପାଉଥିବା ଛୁଟି ସାଙ୍ଗକୁ ଶିକ୍ଷକମାନେ ଅତିରିକ୍ତ ଖରାଛୁଟି ପାଉଥିଲେ । ମାତ୍ର ସରକାର ଏହି ଖରା ଛୁଟିକୁ ବନ୍ଦ କରିବା ପାଇଁ ଯୋଜନା କରିଥିବା ବେଳେ ଏହି ସମୟ ମଧ୍ୟରେ ପିଲାଙ୍କୁ ଅତିରିକ୍ତ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଢ଼ମାସରୁ ୨ମାସ ପର୍ଯ୍ୟନ୍ତ ହେଉଥିବା ଏହି ଅବକାଶ ଦ୍ୱାରା ପିଲାମାନେ ପାଠ ଠାରୁ ଦୂରେଇ ରହୁଥିବା ସହ କୋର୍ସ ଶେଷ କରିବାରେ ପଛେଇ ଯାଉôତଲେ । ମାତ୍ର ଏହି ଛୁଟି ରଦ୍ଦ କରାଯିବା ପରେ ଦୁର୍ବଳ ପିଲାଙ୍କ ଲାଗି ଆରମ୍ଭ ହୋଇଥିବା ଉଜ୍ଜ୍ୱଳ ଉତ୍ଥାନ ପାଠପଢ଼ାକୁ ଗୁରୁତ୍ୱ ଦିଆଯିବ । ସ୍କୁଲସ୍ତରରେ ଯେଉଁ ଛାତ୍ରଛାତ୍ରୀ ୩୫%ରୁ କମ୍ ମାର୍କ ରଖିଥିବେ ସମ୍ପୃକ୍ତ ଦୁର୍ବଳ ପିଲାଙ୍କ ଲାଗି ଆରମ୍ଭ ହୋଇଥିବା ଉଜ୍ଜ୍ୱଳ-ଉତ୍ଥାନ ସ୍ୱତନ୍ତ୍ର ବ୍ୟବସ୍ଥାରେ ପିଲାଙ୍କ ଦକ୍ଷତା ବୃଦ୍ଧି ଲାଗି ଏଣିକି ଶିକ୍ଷକମାନେ ଅଧିକ ଗୁରୁତ୍ୱ ଦେବେ ।

ପ୍ରତିବର୍ଷ ଏପ୍ରିଲସୁଦ୍ଧା ପିଲାଙ୍କର ବାର୍ଷିକ ପରୀକ୍ଷା ଫଳପ୍ରକାଶ ପାଇବା ପରେ ଖରାଛୁଟି ହେଉଥିଲା । ରଜ ପର୍ବ ଶେଷ ହେବା ପରେ ଜୁନ ୧୫ପରେ ସ୍କୁଲ ଖୋଲୁଥିଲା । ଯାହା ଫଳରେ ପ୍ରତିବର୍ଷ ଦୁର୍ବଳ ପିଲାଙ୍କ ଲାଗି ଅଧିକ ଗୁରୁତ୍ୱ ଦିଆଯାଇପାରୁନଥିବା ବେଳେ ଅନେକ ସମୟରେ ଗରୀବ ମେଧାବୀ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ଶିକ୍ଷକଙ୍କ ଖରାଛୁଟି ଉପରେ ରୋକ ଲଗାଇବା ଲାବି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଯାହାକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି ।

ପ୍ରକାଶଥାଉ କି ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମଗ୍ରଶିକ୍ଷା ଯୋଜନା ଲାଗୁ କରାଯାଇଛି । ତେବେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୯୭ହଜାର ୩୨୬ ଥିବାବେଳେ ଉଭୟ ନବମ ଏବଂ ଦଶମ ଶ୍ରେଣୀ ପାଇଁ ନିଯୁକ୍ତ ହୋଇଥିବା ଶିକ୍ଷକଙ୍କ ସଂଖ୍ୟା ପ୍ରାୟ ୫୫ହଜାର ରହିଛି । ଗତ ୫ବର୍ଷ ହେବ ରାଜ୍ୟରେ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସରକାରୀ ସ୍କୁଲସ୍ତରରେ ପିଲାଙ୍କର ରେଜଲ୍ଟ ଅତ୍ୟନ୍ତ ନୈରାଷ୍ୟଜନକ ରହିଥିଲା । ଏପରିକି ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପ୍ରାୟ ୬୯ପ୍ରତିଶତ ଛାତ୍ରଛାତ୍ରୀ ୩୫ପ୍ରତିଶତ ତଳକୁ ମାର୍କ ରଖୁଥିବା ବେଳେ ଷଷ୍ଠ ଶ୍ରେଣୀରେ ୪୦ପ୍ରତିଶତ ପିଲା ୩୫%ତଳକୁ ମାର୍କ ରଖିଥାନ୍ତି । ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ପ୍ରାୟ ୫୫ପ୍ରତିଶତ ପିଲା ଗଣିତ, ଇଂରାଜୀରେ ଫେଲ ହେଉଛନ୍ତି । ଏପରି ସମସ୍ୟାର ସମାଧାନ ଲାଗି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ଦୁର୍ବଳ ପିଲାଙ୍କ ଦକ୍ଷତା ବଢ଼ାଇବା ଲାଗି ଆରମ୍ଭ ହୋଇଛି ଉଜ୍ଜ୍ୱଳ-ଉତ୍ଥାନ କାର୍ଯ୍ୟକ୍ରମ । ମାତ୍ର ଏହି ପାଠପଢ଼ା ପ୍ରତିବର୍ଷ ନିଦର୍ଦିଷ୍ଟ ସମୟରେ ସରୁନି । ସ୍କୁଲ ଛୁଟିରେ ଏହି ପାଠପଢ଼ା କରିବାକୁ ଯୋଜନା ଥିବାବେଳେ ଖରାଛୁଟି ସବୁଠୁ ଅଧିକ ଦିନ ହେଉଥିବାରୁ ଏହି ସମୟରେ ସ୍କୁଲରେ ଦୁର୍ବଳ ପିଲାଙ୍କୁ ପଢ଼ାଇବା ସହ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟରେ ଶିକ୍ଷକ ନିୟୋଜିତ ହେବେ ।

ଅପରପକ୍ଷେ ଏହି ନିଷ୍ପତ୍ତିକୁ ନେଇ କିଛି ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏପରିକି ପ୍ରତିବର୍ଷ ଠିକ୍ ସମୟରେ ଉଜ୍ଜ୍ୱଳ-ଉତ୍ଥାନ ପାଠପଢ଼ା ସରୁଛି । ତେବେ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ କରାଗଲେ ଏହାକୁ ସବୁ ସ୍ତରରେ ବିରୋଧ କରାଯିବ ବୋଲି ମଧ୍ୟ ଅନେକ ଶିକ୍ଷକ ନେତା ସୂଚନା ଦେଇଛନ୍ତି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ଖରାଛୁଟି କେବଳ ପିଲାମାନଙ୍କ ଲାଗି । ପ୍ରତିବର୍ଷ ଏହି ଖରାଛୁଟିରେ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟି କରୁଥିଲେ । ତେଣୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶିକ୍ଷକଙ୍କ ଲାଗି କୌଣସି ସମସ୍ୟା ହେବନାହିଁ ।

Leave A Reply

Your email address will not be published.