କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୱାର୍ମଅପ ମ୍ୟାଚ୍ରେ ଶ୍ରୀଲଙ୍କା-୧୧କୁ ୬ ୱିକେଟ୍ରେ ପରାସ୍ତ କରିଛି । ଜିତିବା ପାଇଁ ୨୦୭ ରନ୍ର ଲକ୍ଷ୍ୟ ପାଇଥିବା ଭାରତୀୟ ଦଳ ଏହାକୁ ସଫଳତାର ସହ ହାସଲ କରିନେଇଥିଲା । ମହମ୍ମଦ ସିରାଜ ଶେଷ ଓଭରରେ ଲଗାତାର ୩ଟି ଛକା ମାରି ଭାରତକୁ ଏହି ରୋମାଞ୍ଚକର ବିଜୟ ଦେଇଛନ୍ତି । ଜିତିବା ପାଇଁ ୧୬ ରନ୍ ଦରକାର ଥିବାବେଳେ, ସିରାଜ କେଶରା ନୁୱାନ୍ତାଙ୍କ ଓଭରର ପ୍ରଥମ ତିନୋଟି ବଲ୍ରେ ଲଗାତାର ୩ଟି ଛକା ମାରି ଭାରତକୁ ଜିତାଯାଇଥିଲେ ।
ଭାରତ ଜିତିସାରିବା ପରେ ମଧ୍ୟ ଅମ୍ପାୟାରମାନେ ଓଭରଟିକୁ ପୂରା କରିଥିଲେ । ଅଭ୍ୟାସ ମ୍ୟାଚ୍ର ଫଳାଫଳ ଅଫିସିଆଲ୍ ରେକର୍ଡରେ ଯୋଡ଼ିହୁଏ ନାହିଁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖେଳାଳିଙ୍କ ପ୍ରସ୍ତୁତି । ଆଙ୍ଗୁଠି ଆଘାତରୁ ସୁସ୍ଥ ହୋଇ ଫେରିଥିବା ଅଧିନାୟକ ଶୁଭମନ ଗିଲ୍ ୪୪ ରନ୍ କରିବା ସହ ଯଶସ୍ୱୀ ଜାଇସ୍ୱାଲଙ୍କ ସହ ମିଶି ୧୦୫ ରନ୍ର ଶତକୀୟ ଭାଗୀଦାରୀ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଏବଂ ଗୁରନୁର ବ୍ରାର୍ ୨ଟି ଲେଖାଏଁ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ୧-୧ଟି ଲେଖାଏଁ ୱିକେଟ୍ ପାଇଥିଲେ ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା-୧୧ ପ୍ରଥମ ଇନିଂସ: ୩୬୩/୮ (ଘୋଷିତ) । ଭାରତ ପ୍ରଥମ ଇନିଂସ: ୩୫୭/୬ (ଘୋଷିତ) । ଶ୍ରୀଲଙ୍କା-୧୧ ଦ୍ୱିତୀୟ ଇନିଂସ: ୨୦୦/୬ (ଘୋଷିତ) । ଭାରତ ଦ୍ୱିତୀୟ ଇନିଂସ: ୨୦୭/୪ ।
