ଛାତ୍ରଙ୍କ ପ୍ରତି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ; ଦୀକ୍ଷାନ୍ତ ସମାରୋହକୁ ସିଜେଆଇଙ୍କ ଆମନ୍ତ୍ରଣକୁ ବିରୋଧ କଲେ ହାଇଦ୍ରାବାଦ ନାଲସାରର ବିଦ୍ୟାର୍ଥୀ
ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରମୁଖ ଆଇନ ଶିକ୍ଷାନୁଷ୍ଠାନ ହାଇଦ୍ରାବାଦ ସ୍ଥିତ ନାଲସାର ୟୁନିଭରସିଟି ଅଫ୍ ଲ’ର ଆଗାମୀ ୨୦୨୬ ସମାବର୍ତ୍ତନ ଉତ୍ସବକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ଦୀକ୍ଷାନ୍ତ ସମାରୋହରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିବା ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟର ୪୫୦ରୁ ଅଧିକ ଛାତ୍ରଛାତ୍ରୀ କଡ଼ା ବିରୋଧ କରିଛନ୍ତି। ନିକଟରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଧାନ ବିଚାରପତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏହି ବିରୋଧ କରାଯାଇଛି।
ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ଦିଲ୍ଲୀରେ ‘ନିଟ୍’ ପରୀକ୍ଷା ବିବାଦକୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରତା ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଅସନ୍ତୋଷ ପ୍ରକାଶ କରିଥିଲେ। ସେ ପୋଲିସର ଲାଠିଚାଳନା ଭିଡିଓ ଦେଖିବାକୁ ମନା କରିବା ସହ “ଆମ ପାଖରେ ଏହିସବୁ ଭିଡିଓ ଦେଖିବାକୁ ସମୟ ନାହିଁ” ବୋଲି ମନ୍ତବ୍ୟ ଦେଇଥିଲେ। ଏଥିସହ ପୂର୍ବରୁ ଆନ୍ଦୋଳନକାରୀ ଯୁବବର୍ଗଙ୍କୁ ସେ ‘ଅସରପା’ ବୋଲି ସମ୍ବୋଧନ କରିଥିବାର ଅଭିଯୋଗ ହୋଇଥିଲା।
ଏହିସବୁ ମନ୍ତବ୍ୟକୁ ନେଇ ନାଲସାରର ୨୦୨୬ ବ୍ୟାଚର ଛାତ୍ରଛାତ୍ରୀମାନେ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଏକ ପତ୍ର ଲେଖି ଦର୍ଶାଇଛନ୍ତି ଯେ, ଆନ୍ଦୋଳନରତ ଛାତ୍ରଙ୍କ ପ୍ରତି ପ୍ରଧାନ ବିଚାରପତିଙ୍କ ଏଭଳି ଅସମ୍ବେଦନଶୀଳ ମନୋଭାବ ଗ୍ରହଣୀୟ ନୁହେଁ।
ସାମ୍ବିଧାନିକ ଅଧିକାର ଏବଂ ନ୍ୟାୟିକ ମୂଲ୍ୟବୋଧ ପଢ଼ାଯାଉଥିବା ଏକ ବିଶ୍ୱବିଦ୍ୟାଳୟରେ ଯେଉଁ ବ୍ୟକ୍ତି ଛାତ୍ର ଆନ୍ଦୋଳନ ପ୍ରତି ସହାନୁଭୂତିଶୀଳ ନୁହନ୍ତି, ତାଙ୍କଠାରୁ ଶିକ୍ଷା ଓ ଭାବଗତ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଡିଗ୍ରୀ ହାସଲ କରିବା ଶୋଭନୀୟ ନୁହେଁ ବୋଲି ଛାତ୍ରମାନେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନାଲସାରରେ ସାଧାରଣତଃ ସମାବର୍ତ୍ତନ ଉତ୍ସବରେ ପ୍ରଧାନ ବିଚାରପତି ମୁଖ୍ୟ ଅତିଥି ଭାବେ ଯୋଗଦେବାର ପରମ୍ପରା ରହିଆସିଛି। ତେବେ ଆଗାମୀ ସମାବର୍ତ୍ତନ କାର୍ଯ୍ୟକ୍ରମ ପାଇଁ ଏଯାଏଁ ତାରିଖ କିମ୍ବା ମୁଖ୍ୟ ଅତିଥିଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ଛାତ୍ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାକୁ ବିଦ୍ୟାର୍ଥୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Comments are closed.