ନୂଆଦିଲ୍ଲୀ: ଆଧୁନିକ ଯୁଗରେ କ୍ରିକେଟ୍ କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ଏକ ବିରାଟ ବ୍ୟବସାୟିକ ପ୍ଲାଟଫର୍ମରେ ପରିଣତ ହୋଇଛି। ଖେଳାଳିମାନେ ଏବେ କେବଳ ମ୍ୟାଚ୍ ଫି ବା ଚୁକ୍ତିବଦ୍ଧ ଦରମା ଉପରେ ନିର୍ଭର ନକରି, ବିଜ୍ଞାପନ ଏବଂ ବିଭିନ୍ନ ବ୍ୟବସାୟିକ ନିବେଶ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ୨୦୨୬ ମସିହା ପାଇଁ ପ୍ରକାଶିତ ଦୁନିଆର ଟପ୍-୫ ଧନୀ କ୍ରିକେଟରଙ୍କ ତାଲିକାରେ ଭାରତୀୟ ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ଆଧିପତ୍ୟଦେଖିବାକୁ ମିଳିଛି।
ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକର । ୨୦୧୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଜି ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୭୦ ନିୟୁତ ଡଲାର (ପାଖାପାଖି ୧,୪୧୫ କୋଟି ଟଙ୍କା) ରହିଛି । ବିଭିନ୍ନ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ୍, ରିଅଲ୍ ଇଷ୍ଟେଟ୍ ଏବଂ ନିବେଶରୁ ସେ ଏହି ଆୟ କରୁଛନ୍ତି ।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୨୭ ନିୟୁତ ଡଲାର (ପାଖାପାଖି ୧,୦୬୦ରୁ ୧,୨୧୫ କୋଟି ଟଙ୍କା)। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ରେ ଅଂଶୀଦାରୀ, ବିଭିନ୍ନ ଷ୍ଟାର୍ଟଅପ୍ରେ ନିବେଶ, ନିଜସ୍ୱ ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍ ‘ସେଭେନ୍’ ଏବଂ କୃଷି କ୍ଷେତ୍ର ଜରିଆରେ ସେ ଏହି ବିପୁଳ ଅର୍ଥ ରୋଜଗାର କରିଛନ୍ତି।
ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ରନ୍ ମେସିନ୍ ବିରାଟ କୋହଲି । ତାଙ୍କ ସମ୍ପତ୍ତିର ପରିମାଣ ମଧ୍ୟ ପ୍ରାୟ ୧୨୫ ନିୟୁତ ଡଲାର (ପାଖାପାଖି ୧,୦୪୦ରୁ ୧,୧୯୬ କୋଟି ଟଙ୍କା) ପାଖାପାଖି ରହିଛି। ବିସିସିଆଇ କଣ୍ଟ୍ରାକ୍ଟ ଓ ଆଇପିଏଲ୍ ଦରମା ବ୍ୟତୀତ ବିରାଟ ତାଙ୍କର ରେଷ୍ଟୁରାଣ୍ଟ୍ ଚେନ୍ ‘One8’, ଫ୍ୟାସନ୍ ବ୍ରାଣ୍ଡ୍ ‘Wrogn’ ଏବଂ ଏକାଧିକ ଆନ୍ତର୍ଜାତୀକ ବ୍ରାଣ୍ଡ୍ଗୁଡ଼ିକର ବିଜ୍ଞାପନରୁ ବିପୁଳ ଆୟ କରୁଛନ୍ତି।
ତାଲିକାର ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୭୦ ନିୟୁତ ଡଲାର ବା ପ୍ରାୟ ୬୭୦ କୋଟି ଟଙ୍କା) ଥିବା ବେଳେ ପଞ୍ଚମ ସ୍ଥାନରେ ୱେଷ୍ଟଇଣ୍ଡିଜ୍ ମହାନ ଖେଳାଳି ବ୍ରାଏନ୍ ଲାରା (୬୦ ନିୟୁତ ଡଲାର ବା ପ୍ରାୟ ୫୭୪ କୋଟି ଟଙ୍କା) ଅଛନ୍ତି।
କୋଚିଂ, ଆଇପିଏଲ୍ କଣ୍ଟ୍ରାକ୍ଟ, କମେଣ୍ଟ୍ରି ଏବଂ ବିଜ୍ଞାପନ ମାଧ୍ୟମରେ ସେମାନେ ଆଜି ମଧ୍ୟ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ ରଖିଛନ୍ତି। ଏହି ରିପୋର୍ଟ ସ୍ପଷ୍ଟ କରୁଛି ଯେ, କ୍ରିକେଟରୁ ଅବସର ପରେ ମଧ୍ୟ ସଠିକ୍ ବ୍ୟବସାୟିକ ରଣନୀତି ଏବଂ ନିବେଶ ଖେଳାଳିମାନଙ୍କୁ ଆର୍ଥିକ ସଫଳତାର ଶୀର୍ଷରେ ରଖିପାରିବ।
