କରୋନା ବିରୋଧରେ ଲଢ଼େଇରେ ସହାୟତା ପାଇଁ ମହାରାଷ୍ଟ୍ର ଯାଇଛି କେରଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ । ଏହି ଦଳରେ ଡାକ୍ତର ଏବଂ ନର୍ସଙ୍କୁ ମିଶାଇ ମୋଟ ଶହେ ଜଣ ସଦସ୍ୟ ଅଛନ୍ତି । ଟିଭିଏମ ମେଡ଼ିକାଲ କଲେଜରେ ଉପଅଧୀକ୍ଷକ ସନ୍ତୋଷ କୁମାରଙ୍କ ନେତୃତ୍ୱରେ ମୁମ୍ୱାଇ ଯାଇଛି ଏହି ଟିମ୍ । ଏହି ଟିମ୍ ମୁମ୍ୱାଇର ସେଭେନ୍ ହିଲ୍ସ ହସପିଟାଲ ପହଞ୍ଚିସାରିଥିବା କହିଛନ୍ତି କେରଳର ଅର୍ଥମନ୍ତ୍ରୀ ଥୋମାସ ଇସାକ । ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ କ୍ରମେ କେରଳ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଥୋମାସ ।

ଗତ ମେ ୨୫ ତାରିଖରେ ମହାରାଷ୍ଟ୍ରର ଡିଇରେକ୍ଟୋରେଟ୍ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ଡିଏମଇଆର ପକ୍ଷରୁ କେରଳ ସରକାରଙ୍କୁ ଏକ ଚିଠି ଲେଖାଯାଇଥିଲା । ଯେଉଁଥିରେ କୋଭିଡ-୧୯ ମହାମାରୀର ମୁକାବିଲାରେ ସହାୟତା ଲାଗି ସାମୟିକଭାବେ କିଛି ଡାକ୍ତର ଏବଂ ନର୍ସଙ୍କୁ ପଠାଇବାକୁ ନିବେଦନ କରିଥିଲେ ମହାରାଷ୍ଟ୍ର ସରକାର ।
ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୬୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୮ ହଜାରରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆହୁରି ପାଖାପାଖି ୩୫ ହଜାର ସକ୍ରିୟ କରୋନା ରୋଗୀ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେସୁଦ୍ଧା ମହାରାଷ୍ଟ୍ରରେ ୨୨ ଶହରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି କରୋନା । ଏଭଳିସ୍ଥଳେ କେରଳର ଶହେ ଜଣିଆ ଡାକ୍ତରୀ ଟିମ୍ ନିଶ୍ଚିତରୂପେ କରୋନା ମୁକାବିଲାରେ ମହାରାଷ୍ଟ୍ର ସରକାରଙ୍କୁ ସହାୟ ହେବ ।
Comments are closed.