Latest Odisha News

BREAKING NEWS

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି;

ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି ।
ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । ।

ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ । ଅନୁକୂଲସ୍ୟ ସଂକଳ୍ପ ଯାହା ଭକ୍ତି ପାଇଁ ଅନୁକୂଳ ତାହାକୁ ସ୍ୱୀକାର କରିବା ଆବଶ୍ୟକ । ପ୍ରତିକୂଳସ୍ୟ ବର୍ଜନଂ ଯାହା ପ୍ରତିକୂଳ ତାକୁ ତ୍ୟାଗ କରିବା ଆବଶ୍ୟକ । ରକ୍ଷସ୍ୟତି ଇତି ବିଶ୍ୱାସୋ, ଏହା ପୂର୍ଣ୍ଣ ବିଶ୍ୱାସ ହେବା ଦରକାର । କୃଷ୍ଣ ମତେ ଅବଶ୍ୟ ରଖିବେ ବା ରକ୍ଷା କରିବେ । ଏହି ସବୁ ବିଧିରେ ଆମେ ଭକ୍ତି କଲେ ଶ୍ରୀକୃଷ୍ଣଙ୍କର ଶରଣାଗତ ହୋଇପାରିବା ।

ଭକ୍ତିର ସମସ୍ତ ବିଧି ମଧ୍ୟରୁ ଏକାଦଶୀ ବ୍ରତର ପାଳନ ମହତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷରେ ଏକାଦଶୀ ବ୍ରତ ପାଳନ କରାଯାଏ । ଏହା ମାଧବ ତିଥି ଅଟେ ଓ ଭକ୍ତି ଜନନୀ ଅଟେ । ଏହାକୁ ପାଳନ କରିବା ପାଇଁ ଆମକୁ ଚେଷ୍ଟା କରିବା ଆବଶ୍ୟକ । ଏହା ଭକ୍ତି ଅନୁକୂଳ ଅଟେ । ଏକାଦଶୀ ମାତା ସ୍ୱୟଂ ଭଗବାନଙ୍କ ଶରୀରରୁ ପ୍ରକଟ ହୋଇଥିଲେ । ଏହି ତିଥି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।

ଏକାଦଶୀ ଅନୁଷ୍ଠାନର ଅନେକ ବିଧି ଅଛି । ସର୍ବୋଚ୍ଚ ସ୍ତର ହେଉଛି ‘ନିର୍ଜଳା’ । ‘ନିର୍ଜଳା’ ହୋଇ ନ’ପାରିଲେ ‘ସଜଲା’ । ଆମେ ନିର୍ଜଳା ନ’କରିପାରିଲେ ସଜଲା ବା ଜଳପାନ କରି ଏକାଦଶୀ କରିପାରିବା । ତୃତୀୟ ବିଧି ସରସା । ଯେଉଁମାନେ ପାଣି ପିଇ ମଧ୍ୟ ଏକାଦଶୀ କରିବା ବିଧି ରହିଛି । ଏଥିରେ ଯଦି ଅସୁବିଧା ହୁଏ ପରବର୍ତ୍ତୀ ସ୍ତର ‘ସଫଳା’ ରହିଛି । ଫଳ ଖାଇ ମଧ୍ୟ ଏକାଦଶୀ କରାଯାଇ ପାରିବ । ସଫଳା ହୋଇ ନ’ପାରିଲେ ଅନୁକଳ୍ପ ପ୍ରସାଦ ବା ଉପବାସ ବ୍ୟଞ୍ଜନ ଖାଇ ମଧ୍ୟ ଏକାଦଶୀ କରିପାରିବା ।

ଏହି ଅନୁକଳ୍ପ ପ୍ରସାଦ ବା ଉପବାସ ବ୍ୟଞ୍ଜନ ମଧ୍ୟରେ ସାଗୁଦାନା ବା କୁଟୁଅଟାର ରୁଟି ଖାଇପାରିବେ ।

କିନ୍ତୁ ଏକାଦଶୀ ଅନୁଷ୍ଠାନ ନିର୍ଜଳା ହେବା ଉଚିତ୍ । ଭୀମ ବା ଅର୍ଜୁନ ସମସ୍ତେ ନିର୍ଜଳା ଏକାଦଶୀ କରିବେ ବୋଲି ଶାସ୍ତ୍ରରେ କୁହାଯାଇଛି । କିନ୍ତୁ ଭୀମ ମହାଭାରତରେ କହିଥିଲେ ମୁଁ ଏକାଦଶୀ କରିପାରିବି ନାହିଁ କାରଣ ମୋ ଭିତରେ ପ୍ରବଳ ଜଠରାଗ୍ନି ରହିଛି । ବ୍ୟାସଦେବ ତାଙ୍କୁ କହିଥିଲେ ବର୍ଷରେ ଥରେ ତମେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ କରିପାରିବେ । ଏହାକୁ ଭୀମଙ୍କ ସହିତ ପାଣ୍ଡବମାନେ ମଧ୍ୟ ରଖିଥିଲେ ତେଣୁ ଏହାକୁ ପାଣ୍ଡବ ନିର୍ଜଳା ଏକାଦଶୀ କୁହାଯାଏ ।

ଯଦି ଏକାଦଶୀ କେହି ଭୂଲି ଯାଆନ୍ତି ବା କରି ନ’ପାରନ୍ତି ସେ ଦ୍ୱାଦଶୀ ଦିନ ଏକାଦଶୀ ବ୍ରତ କରିପାରିବେ । ଶାସ୍ତ୍ରରେ ତିନିଦିନ ଉପବାସର ପ୍ରଥା ରହିଛି । ଏହି ଗୋଟିଏ ନିର୍ଜଳା ଏକାଦଶୀ ବର୍ଷରେ ଥରେ ରଖିପାରିଲେ ଆମେ ଭକ୍ତି ପଥରେ ବହୁ ଆଗକୁ ଯାଇପାରିବା । ଏକାଦଶୀ କରିବା ଓ ସାରାଦିନ ଶୋଇ ରହିବା ମଧ୍ୟ ବର୍ଜନୀୟ ଅଟେ ।

ଯଦି ଆମେ ବର୍ଷରେ ଗୋଟିଏ ଦିନ ନିର୍ଜଳା ଏକାଦଶୀରେ ଉପବାସ କରିପାରିବା ତେବେ ତାହା ବିଧିମୂଳକ ଭାବେ ବା ନିୟମ ମାନି କରିବା ଉଚିତ୍ । ଏକାଦଶୀ ପୂର୍ବଦିନ ସନ୍ଧ୍ୟାରୁ ପରଦିନ ସୂର୍ଯ୍ୟୋଦୟ ପରେ ବା ବ୍ରତ ଭାଙ୍ଗିବାର ସମୟ ପରେ ତୁଳସୀ ପତ୍ର ଗ୍ରହଣ କରି ଉପବାସ ଭାଙ୍ଗିବା ଉଚିତ୍ । ଏହାସହିତ ୬୪ ମାଳା ଜପ କରିପାରିବା । ଏଥିସହିତ ସ୍ୱାଧାୟ କରିବା, ପ୍ରବଚନ ଶୁଣିବା ଏବଂ ଭଗବାନଙ୍କ ବିଗ୍ରହ ସହ ସମୟ କାଟିବାର ବିଧି ରହିଛି ।

ଉପବାସର ମୂଖ୍ୟ ଉଦ୍ଦେଶ୍ୟ ହେଲା ଶରୀର ଉଦ୍ଦେଶ୍ୟକୁ ହ୍ରାସ କରି ଆତ୍ମାର ଉଦ୍ଦେଶ୍ୟ ଉପରେ ଧ୍ୟାନ ଦେବା । ସବୁ ବିଧି ନିୟମର ଉଦ୍ଦେଶ୍ୟ ହେଉଛି କରୁଣାମୟ ଭଗବାନ ଶ୍ରୀକୃଷ୍ଣଙ୍କୁ କାୟ ମନୋବାକ୍ୟରେ ଆତ୍ମାରେ ଧାରଣ କରି ସ୍ମରଣ କରିବା ଏବଂ ସେହି ପ୍ରେମମୟ କୃପାସିନ୍ଧୁ ପରମାତ୍ମା ଶ୍ରୀକୃଷ୍ଣ ଭଗବାନଙ୍କୁ କେବେବି ଭୁଲିଯିବା ନାହିଁ ।

କୋଲକାତା, ପଶ୍ଚିମବଙ୍ଗ, ମୋ – ୭୯୮୦୫୪୯୩୯୭

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.