ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ଶୁକ୍ରବାର ରିଲିଜ ହୋଇଯାଇଛି । ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଁଙ୍କ ଭୂମିକାରେ ଅଭିନୟ କରିବେ ଭିକ୍କି । ଏହି ଚରିତ୍ରରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ ଡାଏଲଗ ଡେଲିଭରି ପର୍ଯ୍ୟନ୍ତ ସାମରିକ ମନୋଭାବ, ସାମ ମାନେକଶଁଙ୍କ ଭୂମିକାରେ ନିଜକୁ ଫିଟ୍ କରିବା ପାଇଁ ଭିକ୍କିଙ୍କ କଠିନ ପରିଶ୍ରମ ଟିଜରରେ ସ୍ପଷ୍ଟ ବାରି ହୋଇ ପଡୁଛି । ଏହି ଫିଲ୍ମରେ ଭିକ୍କି ଓ ସାନ୍ୟା ଏକାଠି ନଜର ଆସିବେ । ଏହି ଫିଲ୍ମ ଆସନ୍ତା ଡ଼ିସେମ୍ବର ୧ରେ ରିଲିଜ୍ ହେବ ।
୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧରେ ସାମ ମାନେକଶଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଯୋଗୁଁ ଏହି ଯୁଦ୍ଧରେ ଭାରତ ଜିତିଥିଲା । ଏହି ବାୟୋପିକର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର । ଏହି ଫିଲ୍ମରେ ଭିକ୍କିଙ୍କ ବ୍ୟତୀତ ଫାତିମା ସନା ଶେଖ, ନୀରଜ କାବି, ସାନ୍ୟା ମଲହୋତ୍ରା, ଜିଶାନ ଆୟୁବ ମୁଖ୍ୟ ଭୂମିକାରେ ନଜର ଆସିବେ । ଭିକ୍କି ଏବଂ ମେଘନା ପୂର୍ବରୁ ରାଜି ଫିଲ୍ମରେ ଏକାଠି କାମ କରିଥିଲେ ।
ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହେବା ପରଠାରୁ ଅଭିନେତାଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସାନ୍ୟା ଭିକ୍କିଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ସେ ସିଲି ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଠାରେ ଫାତିମା ସନା ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ।
ଅଭିନେତାଙ୍କ ଏହି ଫିଲ୍ମରୁ ଦର୍ଶକଙ୍କ ବହୁତ ଆଶା ଅଛି । ମେଘନା ଗୁଲଜାର କହିଛନ୍ତି ଯେ ଏହି ମୁଭିର ଅନୁସନ୍ଧାନ ଏବଂ ନିର୍ମାଣ ପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଛି । ମେଘନା କହିଛନ୍ତି ଯେ ଯେତେବେଳେ ସେ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ସାମ ମନେକଶଁଙ୍କ ବିଷୟରେ ଅଧିକ କିଛି ଜାଣି ନ ଥିଲେ । କିନ୍ତୁ ଆଜି ୭ ବର୍ଷ ପରେ ସେ ସାମଙ୍କ ବିଷୟରେ ସବୁକିଛି ଜାଣନ୍ତି । ସେ ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ ।
Comments are closed.