ହାଇଦ୍ରାବାଦ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ତେଲେଙ୍ଗାନାରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ କର୍ମଚାରୀମାନେ ପ୍ରତିଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ଓ ସପ୍ତାହରେ ୪୮ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ଅନୁମତି ଦିଆଯାଇଛି।
ରାଜ୍ୟର ଶ୍ରମ, ନିଯୁକ୍ତି, ତାଲିମ ଏବଂ କାରଖାନା ବିଭାଗ ଦ୍ୱାରା ଜୁଲାଇ ୫ରେ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ବର୍ତ୍ତମାନ୍ ସରକାର ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସେଥିରେ ସାପ୍ତାହିକ କାର୍ଯ୍ୟ ସୀମା ୪୮ ଘଣ୍ଟା ଅତିକ୍ରମ କରିବା ଉଚିତ୍ ନୁହେଁ ବୋଲି ସିଧାସଳଖ ଦର୍ଶାଯାଇଛି। ତେବେ ଯଦି ଏହି ସମୟସୀମାରୁ କେହି ଅଧିକ କାମ କରେ ତେବେ ଏହାକୁ ଓଭରଟାଇମ୍ ଭାବରେ ବିବେଚନା କରାଯିବ। କେବଳଏତିକି ନୁହେଁ ଯଦି କର୍ମଚାରୀମାନେ ଛଅ ଘଣ୍ଟାରୁ ଅଧିକ କାମ କରନ୍ତି ତେବେ ସେମାନେ ଅତି କମରେ ୩୦ ମିନିଟର ବିରତି ନେଇପାରିବେ। ଏଥିସହିତ କାମ ଏବଂ ବିଶ୍ରାମର ସମୟ ଦିନକୁ ୧୨ ଘଣ୍ଟାରୁ ଯେପରି ଅଧିକ ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
ତେବେ କର୍ମଚାରୀମାନଙ୍କୁ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରିବାକୁ ଅନୁମତି ଦିଆଗଲେ ମଧ୍ୟ ଏହା କୌଣସି ତ୍ରୈମାସିକରେ ୧୪୪ ଘଣ୍ଟାରୁ ଅଧିକ ଯେପରି ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଯେଉଁ କମ୍ପାନୀମାନେ ଏହି ସର୍ତ୍ତାବଳୀର ଉଲ୍ଲଂଘନ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦିଆଯାଇଥିବା ସୁବିଧା ମାନ ବାତିଲ କରାଯିବା ନେଇ ମଧ୍ୟ ସରକାର କହିଛନ୍ତି। ଏହି ସମସ୍ତ ନିୟମ ୮ ଜୁଲାଇ ମଙ୍ଗଳବାର ଦିନ ତେଲେଙ୍ଗାନା ଗେଜେଟରେ ପ୍ରକାଶନ ପରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।
Comments are closed.