ହାଇଦ୍ରାବାଦ: ଓମିକ୍ରନ୍ ମାଡୁଛି । କରୋନା କାୟା ମେଲାଉଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ତେଲେଙ୍ଗାନାରେ ଏଣିକି ରଲି, ସାଧାରଣ ସଭା ଆୟୋଜନ ମନା । ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶରେ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି ତେଲେଙ୍ଗାନା ସରକାର । ଗତକାଲି ତେଲେଙ୍ଗାନା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି ।
ସେହିପରି ସାଧାରଣ ପରିବହନ, ଦୋକାନ, ସପିଂ ମଲ୍, ଅଫିସ ଆଦି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରକ୍ଷା ସହ ପ୍ରବେଶ ପଥରେ ସ୍କ୍ରିନିଂ, ସାନିଟାଇଜ୍ ବ୍ୟବସ୍ଥା କରିବେ । ତେଲେଙ୍ଗାନାରେ ମାସ୍କ ନପିନ୍ଧି ଧରାପଡ଼ିଲେ ହଜାରେ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ ।
ତେଲେଙ୍ଗାନାରେ ବର୍ତ୍ତମାନ ସୁଦ୍ଧା ୬୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ ଟପିଲାଣି । ଏଭଳି ସ୍ଥିତିରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ପ୍ରତିଷେଧକମୂଳକ ପଦକ୍ଷେପ ନେଇଛି ପ୍ରଶାସନ ।
Comments are closed.