ଭୁବନେଶ୍ୱର: ପ୍ରାକ୍-ମୌସୁମୀ ବର୍ଷା ପରେ କିଛି ଦିନର ଆରାମ ମିଳିଥିଲେ ମଧ୍ୟ, ଓଡ଼ିଶା ପୁଣି ଥରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛନ୍ଦି ହୋଇଛି। ରବିବାର ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା, ଯେଉଁଥିରେ ଝାରସୁଗୁଡ଼ା ସର୍ବାଧିକ ୪୩.୫ ଡିଗ୍ରୀ ସହ ରାଜ୍ୟରେ ଶୀର୍ଷରେ ରହିଛି।
ଝାରସୁଗୁଡ଼ା ପରେ ବଲାଙ୍ଗୀର ୪୨.୪, ତିଟିଲାଗଡ଼ ୪୨.୦ ଓ ସମ୍ବଲପୁର ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ତାତିରେ ଜଳୁଛି। ଏହା ବ୍ୟତୀତ ସୋନପୁରରେ ୪୧.୩, ନୂଆପଡ଼ାରେ ୪୧, ଭବାନୀପାଟଣାରେ ୪୦.୮, ସୁନ୍ଦରଗଡ଼ରେ ୪୧.୮, ବୌଦ୍ଧରେ ୪୧.୫ ଓ ହୀରାକୁଦରେ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟରେ ମୋଟ ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ରାଜ୍ୟବାସୀଙ୍କ ପାଇଁ ଆହୁରି କଷ୍ଟଦାୟକ ହେବ।
ଆଇଏମଡି ଆହୁରି ସୂଚନା ଦେଇଛି ଯେ, ୨୭ ଏପ୍ରିଲ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି। କିଛି ଜିଲ୍ଲା ପାଇଁ ଝଡ଼ ପବନ ସହ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ପ୍ରାକ୍-ମୌସୁମୀ ବର୍ଷା ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି, କିନ୍ତୁ ଏବେ ପୁଣି ଥରେ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି।
Comments are closed.