ଭୁବନେଶ୍ୱର: ରାଜ୍ୟରେ ଏବେ ରାତିରେ ଶୀତ, ଭୋର୍ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି । ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ପ୍ରାୟ ୩ ଡିଗ୍ରୀ କମ୍ ରହିଛି । ଆସନ୍ତା ୩ ଦିନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପଶ୍ଚିମ ଓଡ଼ିଶାରେ ବି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହୁଛି । ସୋମବାର ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ । ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ଡିଗ୍ରୀ ରହିପାରେ । କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ମଙ୍ଗଳବାର ଫୁଲବାଣୀରେ ୧୧, ରାଉରକେଲାରେ ୧୨, ନବରଙ୍ଗପୁର ଓ ଝାରସୁଗୁଡ଼ାରେ ୧୩ ଡିଗ୍ରୀ ରହିପାରେ ।
ଗତ ୨୪ଘଣ୍ଟାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଥିଲା । ସେହିପରି ସମତଳ ଅଞ୍ଚଳ ଭାବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୩୬ ଡିଗ୍ରୀ ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୨ଦିନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, କଟକ ଏବଂ ବାଲେଶ୍ୱର ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ସୂଚନା ଦିଆଯାଇଛି ।