ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରୁ ଏକ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି। ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଥିବା ବେଳେ ବିଦ୍ୟୁତ୍ ଚୋରି ନେଇ ସ୍ଥାନୀୟ ପ୍ରଶାସନର ଚଢ଼ାଉ ସମୟରେ ଆଜି ଏହି ମନ୍ଦିର ଠାବ କରାଯାଇଛି। ଏହାପରେ ପ୍ରଶାସନ ଉପସ୍ଥିତିରେ ପୋଲିସ ମନ୍ଦିରର ଦ୍ୱାର ଖୋଲିଥିଲା।
ସୂଚନା ଅନୁଯାୟୀ,୧୯୭୮ ମସିହାରେ ରାଜ୍ୟରେ ସାମ୍ପ୍ରଦାୟିକ ବିବାଦ ଦେଖା ଦେଇଥିଲା। ଏହା ପରେ ଏହି ମନ୍ଦିର ବନ୍ଦ ହୋଇଯାଇଥିଲା। ପୋଲିସ କର୍ମଚାରୀ ମନ୍ଦିରର ଗର୍ଭ ଗୃହ ସଫା କରିବା ସମୟରେ ଗୋଟିଏ ଶିବଲିଙ୍ଗ ଏବଂ କାନ୍ଥରେ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଘଟିଛି ନଖାସା ଥାନା ଅଞ୍ଚଳର ଖଗୁ ସରାଇ ଅଞ୍ଚଳରେ।
ସ୍ଥାନୀୟ ପୂଜକଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ପୂଜା କରିବା ପାଇଁ ପୂଜକମାନେ ଭୟ କରୁଥିଲେ। ଫଳରେ ସେମାନେ ନିଜ ନିଜର ଘର ବିକ୍ରି କରି ମନ୍ଦିର ବନ୍ଦ କରି ଚାଲିଯାଇଥିଲେ। ପୂର୍ବରୁ ଜଣେ ପୂଜକ ଏହି ମନ୍ଦିରରେ ରହୁଥିଲେ, କିନ୍ତୁ ଭୟରେ ସେ ମଧ୍ୟ ଅଞ୍ଚଳ ଛାଡି ଚାଲିଯାଇଥିଲେ।
ଅନ୍ୟପଟେ ପୁଲିସ ଅଧିକାରୀ କୃଷ୍ଣ କୁମାର କହିଛନ୍ତି, ଶନିବାର ସକାଳେ ସମ୍ଭଲରେ ଲାଉଡ ସ୍ପିକର ଯାଞ୍ଚ କରାଯାଉଥିବା ସମୟରେ ବେଆଇନ ବିଦ୍ୟୁତ ସଂଯୋଗ ଖବର ଜଣାପଡିଥିଲା। ବିଦ୍ୟୁତ୍ ବିଭାଗ ଯାଞ୍ଚ ପରେ, ସେଠାରେ ଶତାଧିକ ବେଆଇନ ବିଦ୍ୟୁତ ସଂଯୋଗ ଥିବା ଜାଣିବାକୁ ମିଳିଥିଲା। ଅଞ୍ଚଳରେ ଏକ ପାୱାର ହାଉସ୍ ନିର୍ମାଣ କରି ବେଆଇନ ଭାବେ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।
ଏହାପରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବିଜୁଳି ବିଭାଗ ଓ ପୋଲିସ ମିଳିତ ଭାବେ ସେଠାରେ ଥିବା ସମସ୍ତ ଘର ଓ ମସଜିଦ ଉପରେ ଚଢ଼ାଉ କରିବାରୁ ବହୁ ପୁରାତନ ମନ୍ଦିର ଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଭିତରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଠାକୁରଙ୍କ ମୂର୍ତ୍ତିକୁ ପୋଲିସ କର୍ମଚାରୀମାନେ ସଫା କରିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
Comments are closed.