Latest Odisha News

BREAKING NEWS

ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଥିଲେ ସାଙ୍ଗରେ ଆଣନ୍ତୁ ଛତୁଆ: ମନ୍ଦିର ଟ୍ରଷ୍ଟ

ଲକ୍ଷ୍ନୌ: ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟକୁ ଲଗାତର ଭାବରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତିଦିନ ଦେଢ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ପବିତ୍ର ରାମ ନବମୀ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ବହୁ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚଳିତ ବର୍ଷ ପବିତ୍ର ରାମ ନବମୀ ବା ରାମଙ୍କ ଜନ୍ମତିଥୀ ୧୭ ଏପ୍ରିଲରେ ଅନୁଷ୍ଠିତ ହେବ । ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପରେ ଏହା ହେଉଛି ରାମଲାଲାଙ୍କ ପ୍ରଥମ ରାମ ନବମୀ । ସେଥିପାଇଁ ୟୁପି ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପରିକି ୩ଦିନ ଯାଏଁ ୨୪ଘଣ୍ଟା ଦର୍ଶନର ସୁବିଧା ମଧ୍ୟ କରାଯାଇଛି ।

ଭକ୍ତଙ୍କ ସୁବିଧା ତଥା ନିରାପତ୍ତା ପାଇଁ ପ୍ରଶାସନ ତା’ର ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିସାରିଛି । ଏପ୍ରିଲ ମାସର କଠିନ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ମନ୍ଦିର ପ୍ରଶାସନ ଭକ୍ତ ମାନଙ୍କୁ ସାଙ୍ଗରେ ଛତୁଆ ଆଣି ଆସିବାକୁ କହିଛନ୍ତି । କାରଣ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବାକୁ କାହିଁ କେତେ ଦୁରରୁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ପ୍ରବଳ ଖରାରେ ଭକ୍ତ ମାନଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ । ଏପରି ପରିସ୍ଥିତିରେ ଲୋକମାନଙ୍କ ଶରୀରରେ ପୋଷକ ତତ୍ତ୍ଵ ଯେପରି କମ ନହେଉ ସେଥିପାଇଁ ମନ୍ଦିର ପ୍ରଶାସନ ସାଙ୍ଗରେ ଛତୁଆ ଆଣି ଆସିବାକୁ ଅପିଲ କରିଛି ।

ମନ୍ଦିର ଟ୍ରଷ୍ଟ ବୋର୍ଡ ସଚିବ ଚମ୍ପତ ରାୟ କହିଛନ୍ତି ଯେ, ଭୀଷଣ ଗରମରୁ ଲୋକମାନେ ଅତିଷ୍ଠ ହୋଇଯିବେ । ପିଇବା ପାଣିତ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅଛି କିନ୍ତୁ ଅତ୍ୟଧିକ ଗରମ କାରଣରୁ ଭକ୍ତଙ୍କ ଶରୀରରେ ଯେପରି ପୋଷକ ତତ୍ତ୍ଵ କମ ନ ହେବ ସେଥିପାଇଁ ସେମାନେ ସେମାନଙ୍କ ସାଙ୍ଗରେ ଛତୁଆ ନେଇ ଆସନ୍ତୁ । ଏହାଦ୍ଵାରା ତାଙ୍କୁ ଗରମରୁ ରକ୍ଷା ମିଳିବା ସହ ଶରୀରକୁ ମଧ୍ୟ ଶକ୍ତି ମିଳିବ । ଏହା ସହିତ ଗହଳିରେ କେଉଁ ଆଡେ ନଯାଇ ଶ୍ରଦ୍ଧାଳୁ ମାନେ ସେମାନଙ୍କ ସହ ଆସିଥିବା ଅନ୍ୟାନ୍ୟ ପ୍ରିୟଜନଙ୍କ ସହ ରୁହନ୍ତୁ ।

 

Comments are closed.