Latest Odisha News

ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଯୋଜନା, ଦିଲ୍ଲୀ ଓ ପଞ୍ଜାବରେ ହାଇଆଲର୍ଟ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ଜଣାପଡିଛି। ଏନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜମ୍ମୁରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନର ଦୁଇ ଜଣ ଆତଙ୍କବାଦୀ ସ୍ୱାଧୀନତା ଦିବସ ସମୟରେ ଦିଲ୍ଲୀ ଓ ପଞ୍ଜାବରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି।

ଗୁଇନ୍ଦା ଏଜେନ୍ସି ଦ୍ୱାରା ଗିରଫ ଆତଙ୍କବାଦୀଙ୍କ କହିବା ଅନୁଯାୟୀ, ପ୍ରବଳ ସୁରକ୍ଷା ଦୃଷ୍ଟିରୁ ଅଗଷ୍ଟ ୧୫ ତାରିଖରେ ଏହି ଆକ୍ରମଣ ପାଇଁ ସମୟ ଧାର୍ଯ୍ୟ ହୋଇ ନପାରେ, ବରଂ ଦିନେ କି ଦୁଇ ଦିନ ପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇପାରେ। ନିକଟରେ ଜମ୍ମୁ-କାଶ୍ମୀରର କଠୁଆ ସୀମାନ୍ତରେ ଥିବା ଏକ ଗାଁରେ ଅସ୍ତ୍ରଶସ୍ତ୍ର ସହ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ଗତିବିଧି ଦେଖିବାକୁ ମିଳିଥିଲା। ସେମାନଙ୍କୁ ସନ୍ଦେହ କରିଥିଲା ଗୁଇନ୍ଦା ବିଭାଗ।

ଏହି ଅଜ୍ଞାତ ବ୍ୟକ୍ତି ପଠାନକୋଟ ସହର ଅଭିମୁଖେ ଯିବାର ସମ୍ଭାବନା ଥିଲା। ଜୁନ୍ ପହିଲାରେ ଜମ୍ମୁ ସହରର ଆଭ୍ୟନ୍ତରୀଣ ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ପହଞ୍ଚିଥିଲା। ଆଗାମୀ ଦିନରେ ସୁରକ୍ଷା ପ୍ରତିଷ୍ଠାନ, ଶିବିର, ଯାନବାହନ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ଏହି ବିସ୍ଫୋରକ ବ୍ୟବହାର କରାଯାଇପାରେ ବୋଲି ସନ୍ଦେହ କରାଯାଇଛି। ତେବେ ଅଗଷ୍ଟ ୧୫ ତାରିଖ ବେଳକୁ ବଡ଼ ବଡ଼ ସମାବେଶକୁ ଟାର୍ଗେଟ କରିବା ପାଇଁ ନକଲି ଆଇଇଡି ବ୍ୟବହାର କରାଯାଇପାରେ ବୋଲି ସତର୍କ ସୂଚନାରେ କୁହାଯାଇଛି।

ଗତ କିଛି ମାସ ହେବ ଜମ୍ମୁରେ ସକ୍ରିୟ ଅଛନ୍ତି ଆତଙ୍କବାଦୀ। ଅନ୍ୟପଟେ ପଞ୍ଜାବ ଓ ଜମ୍ମୁ-କାଶ୍ମୀରର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଗ୍ୟାଙ୍ଗଷ୍ଟର, ଉଗ୍ରବାଦୀ ଓ ଆତଙ୍କବାଦୀଙ୍କ ଆଇଏସ୍‌ଆଇ ପ୍ରାୟୋଜିତ ମେଣ୍ଟ ସ୍ୱାଧୀନତା ଦିବସ ଉତ୍ସବ ଓ ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.