ଭୁବନେଶ୍ବର: ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍ ପାଇଁ ଆକଉଣ୍ଟାଣ୍ଟ ଜେନେରାଲଙ୍କୁ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଗାଡ଼ି କିଣାକୁ ନେଇ ହେବ ଅଡିଟ୍ । ପିସିସିଏଫ୍ ବନ୍ୟପ୍ରାଣୀ ଅଫିସ୍ରେ ସ୍ବତନ୍ତ୍ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
‘ଥର୍’ ଗାଡ଼ି କିଣା ଓ କଷ୍ଟମାଇଜେସନ୍ରେ ହୋଇଥିବା ଖର୍ଚ୍ଚର ଅଡିଟ୍ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ଅତିରିକ୍ତ ସଚିବ କଲ୍ୟାଣୀ ମାଳି ଆଜି ଆକାଉଣ୍ଟାଣ୍ଟ ଜେନେରାଲ୍(ଏଜି) ଅଡିଟ୍-୨କୁ ଚିଠି ଲେଖିଛନ୍ତି।
୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍ ଗାଡ଼ି କିଣାଯାଇ ୨୨ଟି ବନଖଣ୍ଡକୁ ଦିଆଯାଇଥିଲା । ୫୧ଟି ମହିନ୍ଦ୍ରା ଥାର୍ ଗାଡି କିଣିବା ପାଇଁ ୭ କୋଟି ୧୪ ଲକ୍ଷ ୭୦ ହଜାର ୨୭୮ ଟଙ୍କା ଖର୍ଚ୍ଚ ହୋଇଥିଲା । ଏସବୁ ଗାଡ଼ିର ମୋଡିଫିକେସନ ବାବଦରେ ୫ କୋଟି ୨ ଲକ୍ଷ ୪୭ ହଜାର୬୯୬ ଟଙ୍କା ଖର୍ଚ୍ଚ ହୋଇଛି ।
ଗାଡ଼ିଗୁଡ଼ିକ କିଣାଯିବା ପରେ ଅଲ୍-ଟେରେନ୍ ଗାଡ଼ି(ଏଟିଭି) କରିବାକୁ ଇଞ୍ଜିନ୍, ଚକାରେ ବ୍ୟାପକ ପରିବର୍ତ୍ତନ ସହ ଗାଡ଼ି ଟାଣିବାକୁ ବ୍ୟବହୃତ ଅତ୍ୟାଧୁନିକ ସାମଗ୍ରୀ ଲାଗିଛି। ଏଟିଭି ଗାଡ଼ିଗୁଡ଼ିକ ଦୁର୍ଗମ ପାହାଡ଼ର ଖାଲଢିପ, କାଦୁଅ, ପାଣି ଅଞ୍ଚଳକୁ ଅତିକ୍ରମ କରିବା ସହ ପାଟ୍ରୋଲିଂ, ମନିଟରିଂ ଓ ସର୍ଭେଲାନ୍ସ ପରି କ୍ଷେତ୍ରରେ ବ୍ୟବହାର ହେବାକୁ ଥିବାରୁ ପରିବର୍ତ୍ତନ ହୋଇଥିଲା।