ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଉତ୍ତର ପ୍ରଦେଶର ଝାନସୀଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଚଳିତ ମାସ ୨୧ରୁ ୩୧ତାରିଖ ପର୍ଯ୍ୟନ୍ତ ହେବ। ସେହିପରି କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଝାରଖଣ୍ଡର ସିମଡ଼େଗାରେ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୨୦ରୁ ୨୯ତାରିଖ ପର୍ଯ୍ୟନ୍ତ ହେବ।
ଉଭୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ୧୮ଜଣିଆ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବରିଷ୍ଠ ମହିଳା ହକି ଦଳର ଅଧିନାୟିକାଭାବେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ହକି ଦଳର ଅଧିନାୟିକାଭାବେ ଜ୍ୟୋତି ଛତ୍ରି ଦଳର ନେତୃତ୍ୱ ନେବେ। ୧୮ଜଣିଆ ବରିଷ୍ଠ ମହିଳା ହକି ଦଳ ସହିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ତାରକା ପାଭଲିନା ସୁରିନ୍, ଅଲମ୍ପିଆନ ହକି ତାରକା ଲାଜରୁସ ବାର୍ଲା ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ୱ ନେବେ।
କଳିଙ୍ଗ ଷ୍ଟାଡ଼ିୟମର ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରର ଡାକ୍ତର ଶୋଭେନ୍ ଓ ରେଶ୍ମା ଲାକ୍ରା ଫିଜିଓ ଓ ସହାୟକ ଦାୟିତ୍ୱ ନିର୍ବାହ କରିବେ। ସେହିପରି କନିଷ୍ଠ ମହିଳା ହକି ଦଳ ସହିତ ସୁଷମା ନନ୍ଦ, ଭଲିବଲ ପ୍ରଶିକ୍ଷକ ଓ କାଳୁଚରଣ ଚୌଧୁରୀ ବରିଷ୍ଠ ହକି ପ୍ରଶିକ୍ଷକ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବେ। ଏହି ଦଳ ସହିତ ଫିଜିଓଭାବେ ଶୁଭସ୍ମିତା ମହାନ୍ତି ଓ ଫିଟନେସ୍ ଟ୍ରେନରଭାବେ ସରିତା ରୋଶନ ହନୁମାନ ଓ ଉପାସନା ଯାଦବ ଯୋଗଦେବେ। କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ସିମଡ଼େଗା ନିମନ୍ତେ ଯାତ୍ରା କରିବେ।
ଗତ ଦୁଇସପ୍ତାହ ଧରି କଳିଙ୍ଗ ଷ୍ଟାଡ଼ିୟମର ହକି ଗ୍ରାଉଣ୍ଡରେ ଚାଲିଥିବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡ଼ହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ଓ ଯୁବସେବା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରିଥିଲେ। ଏହାସହ ପ୍ରତିଯୋଗିତାରେ ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Comments are closed.