Latest Odisha News

BREAKING NEWS

ମେଡ଼ିସିନ ବାବା: ଧନୀଙ୍କ ପାଖେ ହାତ ପତେଇ ଗରିବଙ୍କ ପାଇଁ ଏକାଠି କରନ୍ତି ଔଷଧ

ନୂଆଦିଲ୍ଲୀ: ସାଧାରଣତଃ ବାବା କହିଲେ ଆମ ମନକୁ ଆସେ କେହି ଜଣେ ବୃଦ୍ଧ ବ୍ୟକ୍ତି ନିଜ ଧର୍ମ ପ୍ରଚାର ପାଇଁ କାମ କରୁଥିବେ ।  କିନ୍ତୁ ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଉଠି ମାନବଧର୍ମ ବିଷୟରେ ଭାବନ୍ତି ଓ ଗରିବ ଲୋକଙ୍କର ସହାୟତା କରିବାକୁ ନିଜ ଜୀବନର ଲକ୍ଷ୍ୟ ବୋଲି ମାନି ନେଇଛନ୍ତି ।  ଗରିବ ଲୋକମାନଙ୍କର ଜୀବନ ପରିବର୍ତ୍ତନ ପାଇଁ କାର୍ଯ୍ୟକରୁଛନ୍ତି ।  ସେ ଭିନ୍ନକ୍ଷମ ଓ ବୟସ ୭୯ ହେଲାଣି । ତଥାପି ସେ ନିଜ ଉଦ୍ଦେଶ୍ୟରୁ ପଛକୁ ହଟିନାହାନ୍ତି ।  ସେ ହେଉଛନ୍ତି ମେଡ଼ିସିନ ବାବା ।

ଦିଲ୍ଲୀରେ ରହୁଥିବା ବୟୋବୃଦ୍ଧ ମେଡିସିନ୍‌ ବାବା ।  ଯିଏକି ଅନେକ ବର୍ଷ ଧରି ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁଡଗାଁଓର ଗଳି ଗଳି ବୁଲି ଔଷଧ ଦାନ କରିବାକୁ ଲୋକଙ୍କୁ ନିବେଦନ କରନ୍ତି । ତାଙ୍କର ପ୍ରକୃତନାମ ହେଉଛି ଓଁକାରନାଥ ଶର୍ମା ।  ତାଙ୍କ କାମ ଦେଖି ଲୋକେ ତାଙ୍କୁ ମେଡିସିନ୍ ବାବା ବୋଲି ଡାକୁଛନ୍ତି ।ତେବେ ଏଭଳି ମହତ କାର୍ଯ୍ୟ ଏହି ବ୍ୟକ୍ତି ଜଣଙ୍କ ବିଗତ ୫-୭ ବର୍ଷ ଧରି କରି ଆସୁଛନ୍ତି । ପ୍ରଥମେ ଏହି ଘଟଣା ୨୦୧୫ ରେ ସମ୍ନାକୁ ଆସିଲା ।

ଯେତେବେଳେ ଦିଲ୍ଲୀର ଲକ୍ଷ୍ମୀ ନଗର ଇଲାକାରେ ମେଟ୍ରୋ କନଷ୍ଟ୍ରକସନ୍‌ ଦୁର୍ଘଟଣା ସମୟରେ କେତେକ ଗରିବ ଶ୍ରମିକ ପ୍ରାଣ ହରାଇଥିଲେ ଓ ଅନ୍ୟ କେତେକ ଆହତ ହୋଇଥିଲେ ।  ଏହି ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିବା କହନ୍ତି ମେଡିସିନ ବାବା। ସେମାନଙ୍କ ପାଖରେ ଔଷଧ କିଣିବାକୁ ପଇସା ନଥିବା ବେଳେ ଡାକ୍ତର କହୁଥିଲେ ଡାକ୍ତରଖାନାରେ ଔଷଧ ନାହିଁ ।  ଏଭଳି ସ୍ଥିତିରେ ସେମାନଙ୍କର ଚିକିତ୍ସାରେ ସମସ୍ୟା ଦେଖାଯାଇଥିଲା । ଏହି ଘଟଣାପରେ ଓଁକାରନାଥ ଗେରୁଆ ରଂଗର କୁର୍ତ୍ତାରେ ନିଜ ଫୋନ୍ ନମ୍ବର, ଇମେଲ୍ ଆଦି ବଡ ବଡ ଅକ୍ଷରରେ ଲେଖିଲେ ।  ଏହାକୁ ପିନ୍ଧି ସେ ଦିଲ୍ଲୀର ରାଜରାସ୍ତାରେ ବୁଲି ଗରିବମାନଙ୍କ ପାଇଁ ଔଷଧ ମାଗିବା ଆରମ୍ଭ କଲେ ।  ସେହି ଅଭିଯାନ ଆଜି ପର୍ଯ୍ୟନ୍ତ ଚାଲିଛି । ସେ ଘର ଘର ବୁଲି ସେମାନଙ୍କ ପାଖରେ ଥିବା ଅନାବଶ୍ୟକ ଔଷଧ ଦାନ କରିବା ପାଇଁ ନିବେଦନ କରନ୍ତି ।  ଔଷଧ ସଂଗ୍ରହ କରି ଡାକ୍ତରଖାନାର ଡାକ୍ତରମାନଙ୍କୁ ଦେଇଦିଅନ୍ତି । ଯାହା ଫଳରେ ସେହି ଔଷଧରେ କେହି ଗରିବ ରୋଗୀଟିଏ ଭଲ ହୋଇପାରିବ।

Leave A Reply

Your email address will not be published.