Latest Odisha News

BREAKING NEWS

Bangladesh’s Sharp Attack: ପାକିସ୍ତାନ ମାଟିରୁ ବିଷ ଓଗାଳିଲେ ବାଲାଂ ବାଚସ୍ପତି! କହିଲେ, ୧୯୭୧ରେ ଭାରତ ଆମକୁ ସାହାଯ୍ୟ କରିନଥିଲା…

ନୂଆଦିଲ୍ଲୀ: ୧୯୭୧ ଯୁଦ୍ଧକୁ ନେଇ ଭାରତ ବିରୋଧରେ ବିଷ ଓଗାଳିଲେ!

ପାକିସ୍ତାନ ମାଟିରେ ରହି ଭାରତକୁ ଟାର୍ଗେଟ୍ କଲେ ବାଂଲାଦେଶ ବାଚସ୍ପତି!

୧୯୭୧ ମସିହାର ମୁକ୍ତି ସଂଗ୍ରାମ ଓ ବାଂଲାଦେଶ ଗଠନର ଇତିହାସକୁ ନେଇ ପୁଣି ଚର୍ଚ୍ଚା। ଏଥର ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ ଉଦ୍ଦିନ ଅହମ୍ମଦ। ପାକିସ୍ତାନ ଗସ୍ତରେ ଯାଇ ସେ ଭାରତର ୧୯୭୧ ଯୁଦ୍ଧରେ ଭୂମିକାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତ ବାଂଲାଦେଶକୁ ସାହାଯ୍ୟ କରିନଥିଲା, ବରଂ ପାକିସ୍ତାନକୁ ଦୁର୍ବଳ କରିଥିଲା ବୋଲି ସେ କହିଛନ୍ତି। ଏହା ସହ ଶେଖ୍ ହସିନାଙ୍କ ୧୫ ବର୍ଷର ଶାସନ ସମୟରେ ବାଂଲାଦେଶ ଭାରତର ଏକ ଉପନିବେଶ ଭଳି ହୋଇଯାଇଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ତାଙ୍କର ଏହି ବୟାନ ଏବେ ଦୁଇ ଦେଶର ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବୁଧବାର ଇସଲାମାବାଦର ସଂସଦ ଭବନ ପରିଦର୍ଶନ ସମୟରେ ସାମ୍ବାଦିକଙ୍କ ସହ ଆଲୋଚନା କରି ୧୯୭୧ ଯୁଦ୍ଧ ଏବଂ ଢାକାର ପତନ ସମ୍ପର୍କରେ ମତ ରଖିଥିଲେ ହାଫିଜ।

ତେବେ ହାଫିଜ ଉଦ୍ଦିନ ଅହମ୍ମଦ ପୂର୍ବରୁ ପାକିସ୍ତାନ ସେନାରେ କ୍ୟାପଟେନ ଥିଲେ ଏବଂ ୧୯୭୧ ଯୁଦ୍ଧରେ ଭାଗ ନେଇଥିଲେ। ପରେ ବାଂଲାଦେଶରେ ତାଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା। ୧୯୭୧ରେ ବଙ୍ଗାଳୀମାନେ ଗଣତନ୍ତ୍ର ଦାବି କରୁଥିଲେ, କିନ୍ତୁ ସେମାନଙ୍କୁ ଅଧିକାର ମିଳିନଥିଲା ବୋଲି ସେ କହିଛନ୍ତି। ୧୯୭୫ରେ ବାଂଲାଦେଶରେ ଏକଦଳୀୟ ବ୍ୟବସ୍ଥା ଲାଗୁ ହେବାକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଫେବ୍ରୁଆରୀ ୨୦୨୬ରେ ହୋଇଥିବା ସାଧାରଣ ନିର୍ବାଚନକୁ ସେ ଅବାଧ ଓ ନିରପେକ୍ଷ ବୋଲି କହିଛନ୍ତି।

ଶେଖ୍ ହସିନାଙ୍କୁ ନେଇ ମଧ୍ୟ ହାଫିଜ କଡ଼ା ମନ୍ତବ୍ୟ ଦେଇଛନ୍ତି। ୨୦୨୪ ଅଗଷ୍ଟରେ ବାଂଲାଦେଶ ଛାଡ଼ି ଭାରତରେ ରହୁଥିବା ହସିନା ଫେରିଲେ ସିଧା ଜେଲ୍ ଯିବେ ବୋଲି ସେ କହିଛନ୍ତି। ତାଙ୍କ ମତରେ, ହସିନା ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶକୁ ଫେରିବା ସମ୍ଭାବନା କମ୍। ଭାରତ ତାଙ୍କୁ ଆଶ୍ରୟ ଦେଇଥିବାରୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଢାକା ବାରମ୍ବାର ଭାରତକୁ ଅନୁରୋଧ କରିଆସୁଛି। ଭାରତ ଯଦି ତାଙ୍କୁ ହସ୍ତାନ୍ତର ନକରେ, ତେବେ ଅନ୍ତର୍ଜାତୀୟ ନ୍ୟାୟାଳୟ (ICJ)ର ଦ୍ୱାରସ୍ଥ ହେବାକୁ ବାଂଲାଦେଶ ବିଚାର କରିପାରେ ବୋଲି ହାଫିଜ କହିଛନ୍ତି। ଅନ୍ୟପଟେ ଭାରତ ସରକାର କହିଛନ୍ତି ଯେ ଏହି ପ୍ରତ୍ୟର୍ପଣ ଅନୁରୋଧ ଉପରେ ଆଇନ ଓ ନିୟମ ଅନୁସାରେ ବିଚାର କରାଯାଉଛି।

କେବଳ ଭାରତ ଓ ହସିନା ନୁହେଁ, କାଶ୍ମୀର ପ୍ରସଙ୍ଗରେ ମଧ୍ୟ ହାଫିଜ ପାକିସ୍ତାନର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଜାତିସଂଘର ପ୍ରସ୍ତାବ ଅନୁସାରେ କାଶ୍ମୀର ବିବାଦର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି। ଏହାସହ ଆୱାମୀ ଲିଗ୍‌କୁ ଏକ ଆତଙ୍କବାଦୀ ଦଳ ବୋଲି ଅଭିହିତ କରିଛନ୍ତି। ହସିନା ସରକାରର ପତନ ପରେ ଏହି ଦଳର ରାଜନୈତିକ କାର୍ଯ୍ୟକଳାପ ଉପରେ କଟକଣା ଲାଗିଛି ଏବଂ ୨୦୨୬ ନିର୍ବାଚନରେ ମଧ୍ୟ ଏହା ଭାଗ ନେଇପାରିନଥିଲା।

ଏଥିସହିତ ପାକିସ୍ତାନ ସହ ସମ୍ପର୍କକୁ ମଜଭୁତ କରିବାକୁ ଯାଇ ହାଫିଜ ଫୁଟବଲ୍‌ର ଉଦାହରଣ ମଧ୍ୟ ଦେଇଛନ୍ତି। ୨୦୨୬ SAFF ଚାମ୍ପିୟନଶିପ୍‌ର ଫାଇନାଲରେ ଢାକା ଷ୍ଟାଡିୟମର ପ୍ରାୟ ୯୯.୯ ପ୍ରତିଶତ ଦର୍ଶକ ପାକିସ୍ତାନକୁ ସମର୍ଥନ କରୁଥିଲେ ବୋଲି ସେ ଦାବି କରିଛନ୍ତି। ନଭେମ୍ବର ୧୭ରେ ନ୍ୟାସନାଲ ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇଥିଲା। ହାରିଥିଲେ ମଧ୍ୟ ପାକିସ୍ତାନ ଦଳ ଦର୍ଶକଙ୍କ ହୃଦୟ ଜିତିଥିଲା ବୋଲି ସେ କହିଛନ୍ତି।

ପାକିସ୍ତାନ ମିଲିଟାରୀ ଏକାଡେମୀରୁ ଶିକ୍ଷା ଗ୍ରହଣ କରିଥିବା ହାଫିଜ ୧୯୬୮ରେ ପାକିସ୍ତାନ ଜାତୀୟ ଫୁଟବଲ୍ ଦଳର ଅଧିନାୟକ ମଧ୍ୟ ଥିଲେ। ନଭେମ୍ବର ୨୩ରୁ ୨୯ ପର୍ଯ୍ୟନ୍ତ ସେ ପାକିସ୍ତାନର ସରକାରୀ ଗସ୍ତରେ ଅଛନ୍ତି। ଏହା ବାଂଲାଦେଶ ସଂସଦର ଜଣେ କାର୍ଯ୍ୟରତ ବାଚସ୍ପତିଙ୍କ ପ୍ରଥମ ସରକାରୀ ପାକିସ୍ତାନ ଗସ୍ତ। ଏହି ଅବସରରେ ସେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି।

Leave A Reply

Your email address will not be published.