Latest Odisha News

ରାତିରେ ଗଛ କାଟିବାକୁ ଆସିଥିଲା ପ୍ରଶାସନ, ଅଟକାଇଲେ ପ୍ରକୃତିପ୍ରେମୀ

ଭୁବନେଶ୍ୱର: ଦୈନନ୍ଦିନ ଜୀବନର କାମ ସାରି ଲୋକେ ବିଛଣା ଉପରକୁ ଯିବା ବେଳକୁ ରାତି ଅଧରେ ଗଛ କାଟିବାକୁ ଉଦ୍ୟମ କରିଥିଲା ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ଜେସିବି ସହିତ ଅନ୍ୟାନ୍ୟ ମେସିନ ଆଣି ପହଞ୍ଚିଥିଲା ବନ ବିଭାଗ । ଆଉ ସକାଳ ହେବା ବେଳକୁ ଗଛ କାଟି ପଦା କରିବାକୁ ଉଦ୍ୟମ କରିଥିଲା। ହେଲେ ହଠାତ୍ ପ୍ରକୃତି ପ୍ରେମୀ ଏବଂ ମହାନନ୍ଦୀ ଆନ୍ଦୋଳନ ବଞ୍ଚାଅ କମିଟିର ସଦସ୍ୟ ପହଞ୍ଚିଯିବା ପରେ ପ୍ରଶାସନ ପୁଣିଥରେ ବଡ ଅଡୁଆର ସାମ୍ନା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଜେସିବି ମେସିନ ଏବଂ ଏକ ବଡ ହାଇଓ୍ୱା ଆସିଥିଲା। ଗଛ କଡ଼ରୁ ମାଟି ଖୋଳି ବଡ଼ ହାଇଓ୍ୱାରେ ମାଟି ନେଇ ଯାଉଥିଲେ । ସପ୍ତାହେ ହେବ ରାତିରେ ଏପରି ମାଟି ଖୋଳି ନେଉଛନ୍ତି ଠିକାଦାର । କିନ୍ତୁ ବିଳମ୍ବିତ ରାତିରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ପରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଜଣେ କର୍ମୀ ଏବଂ ସ୍ଥାନୀୟ ଲୋକ ଏବଂ ମିଡିଆ ଆସି ପହଞ୍ଚିଥିଲା। ପରେ ପରେ ଫାଣ୍ଡି ପୋଲିସ ଓ ଖାରବେଳ ନଗର ପିସିଆର ପହଞ୍ଚିଥିଲା।

ଏହି ଗଛ କଟାକୁ ବିରୋଧ କରି ଏବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆଉ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ହାଇକୋର୍ଟ। କିନ୍ତୁ ହାଇକୋର୍ଟରେ ଉତ୍ତର ରଖିବା ପୂର୍ବରୁ ରାତିରେ ସମସ୍ତଙ୍କ ଅଗୋଚରରେ ଗଛ କାଟି ପଦା କରିବାକୁ ଉଦ୍ୟମ କରିଛି ପ୍ରଶାସନ।

ଦିନ ସମୟରେ ପ୍ରଶାସନ ଗଛ କାଟୁଥିଲା। ଏହାକୁ ବିରୋଧ କରି ଅନେକ ବ୍ୟକ୍ତି ଏବଂ ସଙ୍ଗଠନ ପହଞ୍ଚି କାମରେ ବାଧା ଦେଇଥିଲେ। ଆଉ ଲୋକେ ଗଛ ପାଖରେ ଜଗି ରହୁଥିବାରୁ ଗଛ କାଟିବାକୁ ବନ ବିଭାଗ ଦ୍ୱାରା ନିୟୋଜିତ ବ୍ୟକ୍ତି ମଧ୍ୟ ବଡ ଅଡୁଆର ସାମ୍ନା କରିଥିଲେ। ତେବେ ତିନି ଦିନ ହେବ ଗଛ କଟା ବନ୍ଦ ରହିବା ପରେ ରାତି ଅଧରେ ଗଛ କାଟିବାକୁ ପ୍ରୟାସ କରିଛି ପ୍ରଶାସନ।

ସୂଚନାଯୋଗ୍ୟ, ପ୍ରାୟ ୩୦୦ କ୍ୱାର୍ଟର୍ସ, ବଗିଚା, ଜିମ୍, ବିଶ୍ରାମାଗାର, ପାର୍କିଂ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ଥିବା ବିଧାୟକଙ୍କ ଏହି ବହୁ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ୨୭୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ୨୦୨୪ ମସିହା ଶେଷ ସୁଦ୍ଧା ଏହି କାମ ଶେଷହେବ ବୋଲି ଆଶା କରାଯାଉଛି।

Comments are closed.