ଭୁବନେଶ୍ୱର: ବିଧାନସଭା ଇତିହାସରେ ରେକର୍ଡ। ରାତି ସାରା ଚାଲିଲା ବିଧାନସଭା। ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍। ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା। ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ଆଲୋଚନା ହେଲା।
ବିରୋଧୀ ଦଳ ବିଧାୟକମାନେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବୀ କରୁଥିବା ବେଳେ ଶାସକ ଦଳର ବିଧାୟକମାନେ ବିଲ୍ ପାରିତ ହେବା ନେଇ ଯୁକ୍ତି ବାଢିଥିଲେ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ୨୦୨୪ରେ ଯେଉଁ ବିଲ୍ ଅଣାଯାଇଛି ତାହା ୧୯୮୯ ବିଲକୁ ସଂଶୋଧନ କରାଯାଇଛି। ବିଲର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ। ୟୁଜିସି ଡ୍ରାଫ୍ଟଗାଇଡ ଲାଇନ, NEP ଗାଇଡ୍ ଲାଇନ ଓ ନୂଆ ବିଲ୍ ମଧ୍ୟରେ ତାଳମେଳ ନାହିଁ। ବିଲ୍ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅରୁଣ ସାହୁ କେବଳ ୩ ଘଣ୍ଟା ୧୦ ମିନିଟ୍ ଭାଗ ନେଇଥିବା କହିଛନ୍ତି। ଏହି ବିଲ୍ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।
ମୂଳ ବିଲରେ ମୋଟ ୧୮ ଟି କ୍ଲଜ୍ ଏବଂ ଗୋଟିଏ ଅନୁସୂଚୀ ରହିଥିବା ବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ। ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା ଏବଂ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା। ଅନ୍ୟପଟେ ଆଜି ସକାଳେ ବିଧାନସଭାରେ ଆଲୋଚନା ପରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୫ ମଧ୍ୟ ପାରିତ ହୋଇଯାଇଛି।
Comments are closed.