Latest Odisha News

ମାନବିକତା ଆଗରେ ହାର ମାନିଲା ଲୋଭ, ସୁନା ହାର ଫେରାଇ ଦେଲେ ଅଟୋ ଚାଳକ

ଭୁବନେଶ୍ୱର: ସମାଜରେ ଗୋଟିଏ ଧାରଣା ରହିଛି ଯେଉଁମାନେ ଗାଡି ଚଳାନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ । ତେଣୁ ତାଙ୍କ ଚିନ୍ତାଧାର ଟିକିଏ ଭିନ୍ନ  ଆଉ ସେମାନେ ନିଜର ସ୍ୱାର୍ଥକୁ ଆଗ ଦେଖନ୍ତି । କିନ୍ତୁ ଏପରି ଏକ ଚିନ୍ତାଧାରାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକ । ଯିଏକି ତାଙ୍କ ଯାତ୍ରୀଙ୍କର ଜିନିଷକୁ ନନେଇ ତାଙ୍କୁ ଫେରାଇ ଦେଇଛନ୍ତି । ଆଉ ମାନବିକତାର ପ୍ରକୃତ ପରିଚୟ ଦେଖାଇଛନ୍ତି ।

ରାଜଧାନୀ ବଡଗଡ ଥାନା ଅନ୍ତର୍ଗତ ଝରଣାସାହି ବସ୍ତିର ବସନ୍ତ କୁମାର ସାହୁ ନାମକ ଜଣେ ଅଟୋ ଚାଳକ ଏପରି ମାନବିକତା ଦେଇଛନ୍ତି। ଏପ୍ରିଲ୨୩ ତାରିଖରେ ଅଟୋ ଚାଳକ ବସନ୍ତ ଜ୍ୟୋତ୍ସ୍ନାରାଣୀ ସାହୁ ନାମ୍ନି ଜଣେ ମହିଳା ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ସମ୍ପୃକ୍ତ ମହିଳା ଜଣକ ଏକ ଭ୍ୟାନିଟି ବ୍ୟାଗକୁ ଭୁଲ ବଶତଃ ତାଙ୍କ ଅଟୋରେ ଛାଡି ଚାଲି ଯାଇଥିଲେ।

ଏହାପରେ ଅଟୋ ଚାଳକ ଜଣଙ୍କର ଉକ୍ତ ଭ୍ୟାନିଟିକୁ ଖୋଲି ଦେଖିବା ପରେ ସେଥିରେ ସୁନାର ହାର, ଚେନ, କାନଫୁଲ, ଶଙ୍ଖା ଏବଂ ରୂପାର  ଅଳଙ୍କାର ସହିତ କିଛି ଟଙ୍କା, ଗୋଟିଏ ଏଟିଏମ କାର୍ଡ ଓ ଗୋଟିଏ ଭୋଟର ପରିଚୟ ପତ୍ର ଭଳି ବହୁ ମୂଲ୍ୟବାନ ଜିନିଷ ଥିବାର ଦେଖିବାକୁ ପାଇଥିଲେ। ଏତେ ଜିନିଷ ମିଳିବା ପରେ ଜଣେ କଣ କରେ ସାଧାରଣରେ ସମସ୍ତେ ଜାଣନ୍ତି ।

କିନ୍ତୁ ବସ୍ତିର ବସନ୍ତ ନିଜ ସ୍ୱାର୍ଥ ଅପେକ୍ଷା ସେହି ଲୋକର ମନକଥାକୁ ବୁଝିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସେ ଅଟୋଚଳାଇବାକୁ ନିଜର ବୃତ୍ତି ଭାବରେ ବାଛି ନେଇଛନ୍ତି ସତ, କିନ୍ତୁ ସଦା ସର୍ବଦା ନିଜର ମାନବିକତା ଓ ବ୍ୟକ୍ତିତ୍ଵକୁ ଗୁରୁତ୍ଵ ଦେଇଛନ୍ତି । ବସନ୍ତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଲୋଭ ତାଙ୍କ ବ୍ୟକ୍ତିତ୍ଵକୁ କେବେ ପ୍ରଭାବିତ କରିପାରିନଥିଲା ।  ଏହି ବହୁମୂଲ୍ୟସାମଗ୍ରୀ ଥିବା ଭ୍ୟାନିଟିକୁ  ତାର ପ୍ରକୃତ ମାଲିକଙ୍କୁ ଫେରେଇ ଦେବା ଲାଗି ସେ ତୁରନ୍ତ ବଡଗଡ ଥାନା ପୋଲିସଙ୍କୁ ଯୋଗାଯୋଗ କରିବା ସହିତ ବ୍ୟାଗ ଟିକୁ ତାଙ୍କ ଜିମ୍ମା ଦେଇଥିଲେ।

ପରେ ବଡଗଡ ଥାନା ଭରପ୍ରାପ୍ତ ଅଧିକାରୀ ଉକ୍ତ ଭ୍ୟାନିଟିର ପ୍ରକୃତ ମାଲିକଙ୍କୁ ଯୋଗାଯୋଗ କରିବା ପରେ ସେମାନେ ଆଜି ଥାନାରେ ପହଞ୍ଚି ଥିଲେ। ପ୍ରକୃତ ମାଲିକାନା ଯାଞ୍ଚ ପରେ ବଡଗଡ ଥାନା ଭରପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତିରେ ଅଟୋ ଚାଳକ ବସନ୍ତ କୁମାର ସାହୁ ଉକ୍ତ ଭ୍ୟାନିଟିକୁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ହସ୍ତାନ୍ତର କରିଥିଲେ । ନିଜ ହଜି ଯାଇଥିବା ଜିନିଷ ଗୁଡ଼ିକୁ ପାଇ ମହିଳା ଜଣକ ଆନନ୍ଦ ଅନୁଭବ କରିବା ସହ ଅଟୋ ଚାଳକ ସାହୁଙ୍କୁ ସାଧୁବାଦ ଜଣାଇଥିଲେ ।

Comments are closed.