Latest Odisha News

BREAKING NEWS

ବନ୍ଦ ସ୍କୁଲରୁ ଫିଟିବ ତାଲା! ୭ ହଜାର ସ୍କୁଲ ହୋଇଛି ମିଶ୍ରଣ

ଭୁବନେଶ୍ୱର: ବନ୍ଦ ହୋଇଯାଇଥିବା ସ୍କୁଲକୁ ପିଲା ଫେରିବେ। ମିଶ୍ରଣ ହୋଇଥିବା ସ୍କୁଲକୁ ଅଲଗା କରାଯିବ। ମିଶ୍ରଣ ଯୋଗୁଁ ସ୍କୁଲରେ ପଡିଥିଲା ତାଲା। ବର୍ତ୍ତମାନ ସବୁ ମିଶ୍ରଣ ସ୍କୁଲକୁ ଅଲଗା କରାଯିବ। ପୁଣି ପିଲା ଫେରିବେ, ପୁଣି ନାମ ଲେଖା ହେବ। ବନ୍ଦ ସ୍କୁଲ ତାର ସ୍ଥିତି ଫେରିପାଇବ। ନିଜର ସ୍ୱତନ୍ତ୍ରତା ଜାରି ରଖିବ। ଏପରି ଯୋଜନା କରୁଛନ୍ତି ରାଜ୍ୟ ସରକାର। ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମିଶ୍ରଣ ସ୍କୁଲ ଖୋଲିବା ସପକ୍ଷରେ ମତ ଦେବା ପରେ ସ୍କୁଲ ଖୋଲିବା ନେଇ ଆଶା ସଞ୍ଚାର ହୋଇଛି।

ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ ଯିବା କୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ବି ଦାବି କୁ ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସଚିବଙ୍କୁ ତୁରନ୍ତ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ବିଭାଗୀୟ ମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ।

ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ କହିଛନ୍ତି ମନ୍ତ୍ରୀ। ସୂଚନାଯୋଗ୍ୟ ରାଜ୍ୟରେ ବିଜେଡି ସରକାର ଥିବା ବେଳେ ୭୭୭୨ଟି ସ୍କୁଲକୁ ମିଶ୍ରଣ କରାଯାଇଛି। ରାଜ୍ୟ ସରକାର ସ୍କୁଲ ମିଶ୍ରଣ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ୨୦ରୁ କମ ଶିକ୍ଷାର୍ଥୀ ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ବର୍ତ୍ତମାନ ସରକାର କହିଛନ୍ତି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଆଧାରରେ ସ୍କୁଲ ବନ୍ଦ କରି ଦିଆଯାଇଥି, ସେହି ସବୁ ସ୍ଥାନରେ ଥିବା ସ୍କୁଲକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋଲିବାକୁ ଯୋଜନା କରାଯାଇଛି।

Leave A Reply

Your email address will not be published.