Latest Odisha News

BREAKING NEWS

ବିଜେପି କରୁଛି ଶସ୍ତା ରାଜନୀତି, ଓଡ଼ିଶାରେ ବିଜୁଳି ଦର ବୃଦ୍ଧି କଥା ବିଜେପି କହିବା ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜୁଳି ଦର ବୃଦ୍ଧି ନେଇ ବିଜେପି ନେତାମାନେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ବିଜେପି ଶାସିତ ରାଜ୍ୟଗୁଡିକରେ ବିଦ୍ୟୁତ ଦରବୃଦ୍ଧି ଓଡିଶା ଠାରୁ ଢେର ଅଧିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ବିଜେପି ଶାସିତ ରାଜ୍ୟ ବିହାରରେ ଚଳିତବର୍ଷ ମାର୍ଚ୍ଚ ୨୬ ତାରିଖରେ ବିଦ୍ୟୁତ୍‍ ଦର ୟୁନିଟ୍‍ ପିଛା ୩୫ ପଇସା ବଢିଥିବା ବେଳେ ଉତ୍ତରପ୍ରଦେଶରେ ଗତବର୍ଷ ଏହା ୬୪ ପଇସା ବୃଦ୍ଧି ପାଇଥିଲା । ସେହିଭଳି ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ଗତବର୍ଷ ନଭେମ୍ବର ୨୦ ତାରିଖରେ ବିଦ୍ୟୁତ୍‍ ଦର ୟୁନିଟ୍‍ ପିଛା ୪୦ ପଇସା ବୃଦ୍ଧି ପାଇଥିଲା ବୋଲି ଲେନିନ୍ କହିଛନ୍ତି । ମଧ୍ୟପ୍ରଦେଶର ବିଜେପି ସରକାର ଗତବର୍ଷ ବିଦ୍ୟୁତ୍‍ ଦର ଢେର ଅଧିକ ପରିମାଣରେ ବଢ଼ାଇଥିଲେ । 

ବିଜେପି ଶାସିତ ରାଜ୍ୟଗୁଡିକରେ ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଜେପି ଏହାକୁ ଯଥାର୍ଥ ବୋଲି କହିଛି । କିନ୍ତୁ ଯେତେବେଳେ ଓଡିଶା କଥା ଆସୁଛି ସେତେବେଳେ ବିଜେପି ଗଳି କନ୍ଦିରେ ପ୍ରଦର୍ଶନ କରୁଛି । ଓଡିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ବିଜେପିର ଏଭଳି ଦୋମୁହାଁ ନୀତି ଓ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଲେନିନ୍ ମହାନ୍ତି କହିଛନ୍ତି । 

ଲେନିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ବିଜେପି ଭଲଭାବେ ଜାଣିଛି ଓଡିଶା ସରକାର ବିଦ୍ୟୁତ୍‍ ଦର ବଢ଼ାନ୍ତି ନାହିଁ । ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆରସି) ଯାହାକି ଏକ ସ୍ୱାଧୀନ ସଂସ୍ଥା ସିଏ ହିଁ ବିଦ୍ୟୁତ୍‍ ଦରବୃଦ୍ଧି ସଂକ୍ରାନ୍ତରେ ନିଷ୍ପତ୍ତି ନେଇଥାଏ । ଏହା ଜାଣି ବି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଓଡିଶାର ସାମଗ୍ରିକ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତି ବଦ୍ଧ । ଓଡିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବେଶ୍‍ ସମ୍ବେଦନଶୀଳ । ବିଜେଡି ସରକାରକୁ ପରାମର୍ଶ ଦେବା ପୂର୍ବରୁ ଓଡିଶାର ବିଜେପି ନେତାମାନେ ବିଜେପି ଶାସିତ ରାଜ୍ୟରେ ବୃଦ୍ଧି ପାଇଥିବା ବିଦ୍ୟୁତ୍‍ ଦର ହ୍ରାସ ପାଇଁ ନିଜ ଦଳକୁ ପରାମର୍ଶ ଦିଅନ୍ତୁ ।

Leave A Reply

Your email address will not be published.