Latest Odisha News

BREAKING NEWS

ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ, ଗାଁ ମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ବର: ଗାଁ ମାଟିକୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିପାରିଛି ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର । ଗତକାଲି ସନ୍ଧ୍ୟାରେ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପ୍ରାଧାନପାଟିକିରା ଗାଁର ସଙ୍କର୍ଶଣ ବାରିକଙ୍କ ପୁଅ ପ୍ରଭାତ କୁମାର ବାରିକ କତାରର ଦୋହାରେ ଏକ ଘରୋଇ କମ୍ପାନୀରେ ୱେଲ୍ଡର ମିସ୍ତ୍ରୀ ଭାବେ କାମ କରୁଥିଲେ । ଗତ ୧୬ ମାର୍ଚ୍ଚରେ କମ୍ପାନୀର ମାନବ ସମ୍ବଳ ବିଭାଗର ଜଣେ ଅଧିକାରୀ ପ୍ରଭାତଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ କବିତା ବାରିକଙ୍କୁ ଖବର ଦେଇଥିଲେ । କବିତା ବାରମ୍ବାର ପଚାରିଥିଲେ ମଧ୍ୟ ମୃତ୍ୟୁର କାରଣ କମ୍ପାନୀ ଅଧିକାରୀ ଜଣାଇ ନଥିଲେ ।

ପ୍ରଭାତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ମରଶରୀରକୁ ତାଙ୍କ ଗାଁକୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ସହାୟତା ଲୋଡିଥିଲେ । ଏହାପରେ ବୈଜୟନ୍ତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ୧୯ ତାରିଖରେ ଏକ ଚିଠି ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ । ପ୍ରଭାତଙ୍କ ମରଶରୀର ଗାଁ ମାଟିକୁ ଫେରିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । 

Leave A Reply

Your email address will not be published.