Latest Odisha News

ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ, ବରଣମାଳା ବେଳେ ଟଳିପଡ଼ିଲେ କନିଆ

ନୂଆଦିଲ୍ଲୀ : ସାଜସଜ୍ଜାରେ ପୂରି ଉଠୁଥିଲା ବିବାହ ମଣ୍ଡପ  । ସବୁଠି ଥିଲା ଖୁସିର ମାହୋଲ  । ଠିକ୍‌ ଏତିକି ବେଳେ ଘଟିଲା ବଡ଼ ଅଘଟଣ  । ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ ।  ଷ୍ଟେଜରେ ବରଣମାଳା ପିନ୍ଧାଉଥିବା ବେଳେ ଟଳି ପଡ଼ିଲା କନିଆ । ସ୍ତବ୍ଧ ହୋଇଗଲେ ଉପସ୍ଥିତ ଥିବା ଲୋକେ । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୋରେ  ।

ଭଦଓ୍ବାନା ଗାଁର ରାଜପାଲଙ୍କ ଝିଅ ଶିବାଙ୍ଗୀଙ୍କ ବିବାହର ଆୟୋଜନ ଚାଲିଥିଲା। ବୁଦ୍ଧେଶ୍ୱରରୁ ଆସିଥିଲେ ବରଯାତ୍ରୀ  । ବିବେକଙ୍କ ସହ ହୋଇଥିଲା ଶିବାଙ୍ଗୀଙ୍କ ବାହାଘର। ବିବାହକୁ ନେଇ ସମସ୍ତଙ୍କ ମନରେ ଭରିରହିଥିଲା ଉଲ୍ଲାସ  । ଷ୍ଟେଜରେ ବରଣମାଳା ରୀତି ପାଇଁ ମଣ୍ଡପରେ ଏକାଠି ହୋଇଥିଲେ ବର-କନ୍ୟା । ବର ବିବେକ ଶିବାଙ୍ଗୀଙ୍କୁ ବରଣମାଳା ପିନ୍ଧାଇ ସାରିଥିଲେ । ହେଲେ ଶିବାଙ୍ଗୀ ବିବେକଙ୍କୁ ବରଣମାଳା ପିନ୍ଧାଇବା ବେଳକୁ ମଣ୍ଡପ ଉପରେ ପଡିଯାଇ ବେହୋସ୍ ହୋଇଯାଇଥିଲେ। ନିମିଷକେ ମଧ୍ୟରେ ବଦଳିଗଲା ସବୁକିଛି । ଏହା ଦେଖି ଉପସ୍ଥିତ ଥିବା ଲୋକେ କିଛି ବୁଝିବା ଆଗରୁ ଶିବାଙ୍ଗୀଙ୍କ ପ୍ରାଣ ଚାଳିଯାଇଥିଲା  । ସମସ୍ତଙ୍କ ଆଖିରୁ ଝରିପଡ଼ିଲା ଲୁହ  ।

ସଙ୍ଗେ ସଙ୍ଗେ ଶିବାଙ୍ଗୀଙ୍କୁ ନେଇଥିଲେ ଡାକ୍ତରଖାନା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଖୁସିରେ ବିବାହ ଉତ୍ସବ ମନାଉଥିବା ବେଳେ ଏଭଳି ଦୁଃଖଦ କଥା ଶୁଣି ସମସ୍ତେ ମର୍ମାହତ ହୋଇଛନ୍ତି । ଏହି ମୃତ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।

 

Comments are closed.