Latest Odisha News

BREAKING NEWS

ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମରେ ପହଁଚି ଭ୍ରମଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଥମେ  ପିଆଜା ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍କମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ  ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ସେ  ଅନୁପ୍ରାଣିତ ହୋଇଛନ୍ତି । ଏପରିକି 2018 ରେ, ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଗଠନ ହୋଇଥିବା ଜାତୀୟ କମିଟିର ପ୍ରଥମ ବୈଠକରେ ଗାନ୍ଧିଜୀଙ୍କ ଅହିଁସା ଆଦର୍ଶକୁ ଭାରତୀୟ ସମ୍ବିଧାନର ପ୍ରିଆମ୍ବଲ୍ ବା ମୁଖବନ୍ଧରେ ଅନ୍ତର୍ଭୁକ୍ତ କରିବା ପାଇଁ  ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି  କହିଛନ୍ତି ଯେ ଗାନ୍ଧି କହୁଥିଲେ  ଶାନ୍ତି ବିନା ବିକାଶର ଅଗ୍ରଗତି ହୋଇପାରିବ ନାହିଁ। ଏହାକୁ ସେ ମଧ୍ୟ ସମର୍ଥନ କରିଆସୁଛନ୍ତି ।  ସେହିପରି 2019 ରେ ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନରେ ଗାନ୍ଧିଜୀଙ୍କ ବକ୍ତବ୍ୟକୁ ଉନ୍ମୋଚନ କରିଥିଲେ। ଗରିବଙ୍କ ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରିବାକୁ  କହିଥିବା ଗାନ୍ଧିଜୀଙ୍କ ଉକ୍ତି ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ରୋମ୍‌ରେ ୨୬ତାରିଖ ପର୍ଯ୍ୟନ୍ତ ରହିବେ । ସେଠାରେ ଥିବା  ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନଗୁଡିକ ଭ୍ରମଣ କରିବା ସହ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।  ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ନିଜର ଅନୁଭୂତି ଓ ସଫଳତାର ଚିତ୍ର ଉପସ୍ଥାପନ କରିବେ। ଏହାସହ ଡବ୍ଲୁଏଫ୍‌ପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସଲି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ।

ଏହା ସହ ମୁଖ୍ୟମନ୍ତ୍ରୀ   ଧର୍ମଗୁରୁ ପୋପ୍‌ ଫ୍ରାନସିସ୍କୋଙ୍କୁ ଭାଟିକାନ୍ ସିଟିରେ ଭେଟିବାର କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ୟୁରୋପର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ  ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ରୋମରୁ ସାଉଦି ଆରବ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ 10 ଦିନ ବିଦେଶ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.