Latest Odisha News

BREAKING NEWS

ସାମ୍ନାକୁ ଆସିଲା ପାକିସ୍ତାନ ଓ ଚୀନର ଆଉ ଏକ ସତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚୀନର ପ୍ରଭାବ ବଢ଼ିବାରେ ଲାଗିଛି । ୮୨ଟି ଦେଶ ଚୀନର ବଶବର୍ତ୍ତୀ ହୋଇଛନ୍ତି । ଆଉ ଏହି ତାଲିକାରେ ପ୍ରଥମେ ରହିଛି ପାକିସ୍ତାନ । ଦ୍ୱିତୀୟରେ କମ୍ବୋଡିଆ ଥିବାବେଳେ ତୃତୀୟରେ ରହିଛି ସିଙ୍ଗାପୁର । ଏସବୁ ଦେଶ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବା ଅଧ୍ୟୟନରୁ ଜଣାପଡ଼ିଥିବା ବିବିସି ରିପୋର୍ଟରେ ଦର୍ଶାଇଛି ।

ସେହିଭଳି ୟୁରୋପୀୟ ଦେଶ ମଧ୍ୟରୁ ଜର୍ମାନୀ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବାବେଳେ ୮୨ଟି ରାଷ୍ଟ୍ର ମଧ୍ୟରୁ ଜର୍ମାନୀର ସ୍ଥାନ ୧୯ ନମ୍ବରରେ ରହିଛି । ଦି ଚାଇନା ଇଣ୍ଡେକ୍ସ ୨୦୨୨ ଭଳି ଅଧ୍ୟୟନ ପ୍ରଥମ ଥର ପାଇଁ ହୋଇଛି । ଯେଉଁଥିରେ ଦୁନିଆର ୮୨ଟି ଦେଶ ଉପରେ ଚୀନର ସାମଗ୍ରିକ ପ୍ରଭାବ ଉପରେ ଅଧ୍ୟୟନ କରାଯାଇଛି ।

ତାଇୱାନର ଏକ ବେସରକାରୀ ସଂସ୍ଥା ଡବଲ ଥିଙ୍କ ଚାଇନା ଇନ୍ ଦ ୱର୍ଲ୍ଡ ନେଟୱର୍କରେ ଏହା ପ୍ରକାଶିତ କରିଛି । ୮୨ଟି ଦେଶର ଗଣମାଧ୍ୟମ, ଶିକ୍ଷା, ଅର୍ଥ ବ୍ୟବସ୍ଥା, ସମାଜ, ସେନା, ଟେକ୍ନୋଲୋଜି, ଆଇନ୍ ଆଦି ସଂସ୍ଥା, ସ୍ଥାନୀୟ ରାଜନେତା ଓ ବିଦେଶ ନୀତିକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।

ଏହି ସବୁ କ୍ଷେତ୍ରରେ ଚୀନ ଉପରେ ଦେଶଗୁଡ଼ିକର ନିର୍ଭରଶୀଳତାକୁ ଆଧାର କରି ୮୨ ଦେଶର ତାଲିକା ପ୍ରସ୍ତୁତ ହୋଇଛି । ଇଣ୍ଡେକ୍ସ ଅନୁସାରେ, ପାକିସ୍ତାନର ବିଭିନ୍ନ କ୍ଷେତ୍ର ଉପରେ ଚୀନର ପ୍ରଭାବ ରହିଛି । ଯେଉଁଥିରେ କୁହାଯାଇଛି ଟେକ୍ନୋଲୋଜି କ୍ଷେତ୍ରରେ ପାକିସ୍ତାନ ୯୭.୭ ପ୍ରତିଶତ ଚୀନ ଉପରେ ନିର୍ଭରଶୀଳ ।

ସେହିଭଳି ଦ୍ୱିତୀୟରେ ଚୀନର ବିଦେଶ ନୀତି ଉପରେ ପାକିସ୍ତାନ ୮୧.୮ ପ୍ରତିଶତ ନିର୍ଭର କରୁଥିବା ବେଳେ ସୁରକ୍ଷା ବଳ ଉପରେ ୮୦ ପ୍ରତିଶତ ପ୍ରଭାବ ରହିଛି । ପାକିସ୍ତାନର ଶିକ୍ଷା ବ୍ୟବସ୍ଥା ଚୀନ ଉପରେ ୬୨.୫ ପ୍ରତିଶତ ନିର୍ଭରଶୀଳ ଥିବାବେଳେ ଅର୍ଥ ବ୍ୟବସ୍ଥା ୫୪.୫ ପ୍ରତିଶତ, ରାଜନୀତି ୫୨.୮ ପ୍ରତିଶତ, ମିଡିଆ ୫୨.୩ ପ୍ରତିଶତ, ଆଇନ୍ ପ୍ରଣୟନ ୪୫.୭ ପ୍ରତିଶତ ପ୍ରଭାବିତ ଥିବା ଜାରି ଇଣ୍ଡେକ୍ସରେ କୁହାଯାଇଛି ।

ତେବେ କାହିଁକି ପାକିସ୍ତାନ, ଚୀନ ଉପରେ ଏତେ ନିର୍ଭରଶୀଳ ? ପାକିସ୍ତାନ ଓ ଚୀନର କୂଟନୈତିକ, ରକ୍ଷା ଓ ଆର୍ଥିକ ସମ୍ପର୍କ ଇତିହାସ ବେଶ୍ ଲମ୍ବା । ଉଭୟ ଦେଶ ମଧ୍ୟରେ ସମ୍ପର୍କ ସବୁବେଳେ ଘନିଷ୍ଠତା ରହିଛି । ବିଗତ ୨ ଦଶନ୍ଧି ମଧ୍ୟରେ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ବଳ ଦେବା ହେଉ ଅଥବା ଶକ୍ତି ସଂକଟରୁ ରକ୍ଷା ଅବା ଆଇଏମ୍ଏଫ୍ ଓ ବିଶ୍ୱବ୍ୟାଙ୍କ ଋଣ ମାମଲା । ସବୁଥିରେ ପାକିସ୍ତାନକୁ ଚୀନ ସହଯୋଗ କରି ଆସିଛି । ଏହିଭଳି ଭାବେ ସୁରକ୍ଷା ମାମଲାରେ ଚୀନ, ପାକିସ୍ତାନର କ୍ଷମତା ବଢ଼ାଇବାରେ ସହାୟକ ହେଉଛି ।

Leave A Reply

Your email address will not be published.