Latest Odisha News

BREAKING NEWS

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା: ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ବଢୁଛି ଜଓ୍ୱାଦ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ବଳ ଗୋଟାଇ ଉପକୂଳ ଆଡ଼େ ମାଡ଼ି ଆସୁଛି ଜଓ୍ୱାଦ୍ । ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କିନ୍ତୁ ଆଜିଠୁ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା । ଏବେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି ।

ଜଓ୍ୱାଦ୍ ଏବେ ବିଶାଖାପାଟଣାଠାରୁ ୨୫୦ କିଲୋମିଟର ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୩୬୦ କିଲୋମିଟର ଦକ୍ଷିଣ ଦିଗରେ କେନ୍ଦ୍ରୀଭୂତ ଅଛି ।  ପୁରୀଠାରୁ ୪୩୦ କିଲୋମିଟର ଦକ୍ଷଣ-ଦକ୍ଷିଣ ପଶ୍ଚିମ ଓ ପାରାଦୀପଠାରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ଅଛି ବାତ୍ୟା ।

ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ତାପରେ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ଅଗ୍ରସର ହେବ । କାଲି ମଧ୍ୟାହ୍ନରେ ଓଡ଼ିଶା ଉପକୂଳର ପୁରୀ ନିକଟରେ ଜଓ୍ୱାଦ ପହଞ୍ଚିବ । ତେବେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ କି ନାହିଁ ସ୍ପଷ୍ଟ ହୋଇନି ।ପୁରୀ ପାଖରେ ପହଞ୍ଚିବା ପରେ ଦୁର୍ବଳ ପଡ଼ିବ ଓ ପଶ୍ଚିମବଙ୍ଗ ମୁହାଁ ହେବ ।

ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି ବର୍ଷା । ଆଜି ପାଇଁ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୬ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କିଲୋମିଟର ଓ ଏହା ବଢ଼ି ସର୍ବାଧିକ ୧୦୫ କିଲୋମିଟର ଛୁଇଁପାରେ ।

Leave A Reply

Your email address will not be published.