Latest Odisha News

BREAKING NEWS

ବାଲିଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ଉନ୍ନୟନ କମିଶନର, ଦର୍ଶକ ଦେଖିବେ ଓଡିଆ ଅସ୍ମିତାର ଝଲକ

କଟକ: ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରୌପ୍ୟ ନଗରୀ କଟକ।  ଆଉ ତିନି ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା।  ଏହାକୁ ନେଇ ପ୍ରଶାସନର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅନ୍ୟପଟେ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଟେଣ୍ଟ୍‌ ନିର୍ମାଣରେ ଲାଗିପଡ଼ିଛନ୍ତି।

ବାଲିଯାତ୍ରା ପ୍ରସ୍ତୁତି କାର୍ଯ୍ୟକୁ ଆଜି ସନ୍ଧ୍ୟା ସମୟରେ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ତାଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ, ପୋଲିସ କମିଶନର, କଟକ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଦେଶରୁ ଆସୁଥିବା ରାଷ୍ଟ୍ରଦୂତ ଓ କଳାକାରଙ୍କ ପ୍ରତି ଆତିଥ୍ୟ ମନୋଭାବ ରଖି ସେମାନଙ୍କର ଆମୋଦ ପ୍ରମୋଦକୁ ଦୃଷ୍ଟି ଦେବା ପାଇଁ କହିଥିଲେ। ଦର୍ଶକ ଓଡ଼ିଆ ଅସ୍ମିତାର ଝଲକ ମଧ୍ୟ ଦେଖିବାକୁ ପାଇବେ ବୋଲି ଅନୁ ଗର୍ଗ କହିଛନ୍ତି ।

ଏହି ପରିଦର୍ଶନ ସହିତ ଶ୍ରୀମତି ଗର୍ଗ ନୌବାଣିଜ୍ୟ ସଂଗ୍ରାହଳୟ ଠାରେ ସଚିବ, ପୋଲିସ ଆୟୁକ୍ତ, ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରି  ସମସ୍ତ କାର୍ଯ୍ଯ ଯଥାସମୟରେ ଶେଷ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ପାରମ୍ପରିକ ଖାଦ୍ୟ ବ୍ୟବସ୍ଥା ଓ ବୋଟ କ୍ଲବଠାରେ ସ୍ବତନ୍ତ୍ର ଆତିଥ୍ୟ ବ୍ୟବସ୍ଥା କରିବା ପାଇଁ କହିଥିଲେ।

ବାଲିଯାତ୍ରା ସମୟରେ ଟ୍ରାଫିକ କଟକଣା ସହ ଭିଡ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସ୍ଵାସ୍ଥ୍ୟ ସେବା,ପରିମଳ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ପ୍ରସ୍ତୁତି ରୂପରେଖ ସହ ସାବଧାନ ସହ କର୍ଯ୍ୟକରିବା ପାଇଁ ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଓ ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ଉତ୍ସବରେ ବିଦେଶର ବିଭିନ୍ନ କଳାକାରମାନଙ୍କ ଦ୍ବାରା ନାଚ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ରାଷ୍ଟ୍ରଦୂତ ମାନଙ୍କର ପରିଦର୍ଶନ ହେଉଥିବା ପରିପ୍ରେକ୍ଷୀରେ ଉତ୍ସବର ସଫଳ ଓ ଶୃଙ୍ଖଳ ଆୟୋଜନ ନିମନ୍ତେ ଆବଶ୍ୟକ ପଡିଲେ ଅଧିକ ଅଧିକାରୀ ଓ କର୍ମଚାରୀ ନିୟୋଜିତ କରିବା ପାଇଁ କହିଥିଲେ। ଜାତୀୟ ରାଜପଥରୁ କଟକ ପ୍ରବେଶ ପଥକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆଲୋକିକରଣ ବ୍ୟବସ୍ଥାକୁ ଜୋରଦାର କରିବା ଏବଂ ରାସ୍ତାଘାଟ ସଫେଇ ତଥା ଆବଶ୍ୟକ ୱାଲ ପେଣ୍ଟିଂ ଆଦି କରାଯିବା ନେଇ ପର୍ଯ୍ୟଟନ ବିଭାଗ ସଚିବ ଶ୍ରୀ ବଲବନ୍ତ ସିଂହ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଥିଲେ।

 

Comments are closed.