କ୍ରିକେଟ ସହ ଜଡିତ ବ୍ୟକ୍ତି ଡକରେ ଆଉଟ ହେବାକୁ ଭଲ ଭାବେ ବୁଝି ପାରିଥାଏ । ଏହାର ମାନେ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯିବା । ତେବେ ଏହି ଆଉଟର ଅନେକ ନାମ ରହିଛି । ଶୂନ ଦେଖିବାକୁ ବତକ ଅଣ୍ଡା ପରି ହୋଇଥିବାରୁ ଏହାକୁ ଡକ କୁହାଯାଏ ।
ଗୋଲ୍ଡେନ ଡକ: ପ୍ରଥମ ବଲରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେଲା ଏହାକୁ ଗୋଲ୍ଡେନ ଡକ କୁହାଯାଏ । ଟେଷ୍ଟରେ ୧୭୭୦, ଦିନିକିଆରେ ୨୧୭୪ ଓ ଟି୨୦ରେ ୧୮୦୪ ଜଣ ଗୋଲ୍ଡେନ ଡକର ଶୀକାର ହୋଇଛନ୍ତି ।
ସିଲଭର ଡକ: ଦ୍ୱିତୀୟ ବଲରେ ଶୂନରେ ଆଉଟ ହେବାକୁ ସିଲଭର ଡକ କୁହାଯାଏ । ଟେଷ୍ଟ, ଦିନିକିଆ ଓ ଟି୨୦ରେ ଯଥାକ୍ରମେ ୧୨୯୨, ୧୪୯୭ ଓ ୯୬୬ ଜଣ ଏହାର ଶୀକାର ହୋଇଛନ୍ତି ।
ବ୍ରୋଞ୍ଜ ଡକ: ଇନିଂସର ତୃତୀୟ ବଲରେ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହେଲେ ଏହାକୁ ବ୍ରୋଞ୍ଜ ଡକ କୁହାଯାଏ । ଟେଷ୍ଟରେ ୯୨୬, ଟି୨୦ରେ ୫୩୮ ଓ ଦିନିକିଆରେ ୯୬୬ଜଣ ବ୍ୟାଟ୍ସମ୍ୟାନ ଏ ଭଳି ଆଉଟ ହୋଇଛନ୍ତି ।
ଡାଇମଣ୍ଡ ଡକ: କୌଣସି ବଲ ସମ୍ମୁଖୀନ ନ ହୋଇ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେଲେ ଏହାକୁ ଡାଇମଣ୍ଡ ଡକ କୁହାଯାଏ ।
ଲାଫିଂ ଡକ: ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହେବା ପରେ ଯଦି ଇନିଂସ ଶେଷ ହୋଇଯାଏ ଏହାକୁ ଲାଫିଂ ଡକ କୁହାଯାଏ ।
ରୟାଲ/ପ୍ଲାଟିନମ ଡକ: ମ୍ୟାଚ ଓ ଇନିଂସର ପ୍ରଥମ ବଲରେ ଜଣେ ଓପନର ଆଉଟ ହେଲେ ଏହାକୁ ପ୍ଲାଟିନମ ଡକ କୁହାଯାଏ । ଭାରତର ସୁନୀଲ ଗାଭାସ୍କର ୫ଥର ଏ ଭଳି ଆଉଟ ହୋଇଛନ୍ତି ।
ପେୟାର: ଟେଷ୍ଟର ୨ଟି ଯାକ ଇନିଂସରେ ଜଣେ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହେଲେ ଏହାକୁ ପେୟାର କୁହାଯାଏ ।
କିଙ୍ଗ ପେୟାର: ଟେଷ୍ଟର ୨ଟି ଯାକ ଇନିଂସରେ ପ୍ରଥମ ବଲରେ ଜଣେ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଲେ ଏହାକୁ କିଙ୍ଗ ପେୟାର କୁହାଯାଏ । ଟେଷ୍ଟରେ ୨୩ ଖେଳାଳି ଏ ଭଳି ଆଉଟ ହୋଇଛନ୍ତି ।
ସେହିପରି କ୍ରମାଗତ ୩ଟି ଇନିଂସରେ ଶୂନରେ ଆଉଟ ହେଲେ ବ୍ୟାଟିଂ ହ୍ୟାଟ୍ରିକ, ୪ଥର ହେଲେ ବ୍ୟାଟିଂ ଡବଲ ହ୍ୟାଟ୍ରିକ, ୫ଥର ହେଲେ ଟ୍ରିପଲ ବ୍ୟାଟିଂ ହ୍ୟାଟ୍ରିକ କୁହାଯାଏ ଓ ୬ଥରକୁ କ୍ୱାର୍ଡପଲ ବ୍ୟାଟିଂ ହ୍ୟାଟ୍ରିକ କୁହାଯାଏ । ଭାରତର ଅଜିତ ଅଗରକର ଟେଷ୍ଟ କ୍ରିକେଟରେ ଏହି ଅଲୋଡା ରେକର୍ଡ କରିଛନ୍ତି । ୧୯୯୯ରୁ ୨୦୦୦ ମଧ୍ୟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୭ ଥର ଶୂନରେ ଆଉଟ ହୋଇଥିଲେ ।
Comments are closed.