Latest Odisha News

‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” । ଏହି ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମିଳିବ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ । ଏହି ସମ୍ମିଳନୀ ଅବସରରେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଭାଷା ଉପରେ ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡିଆ ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଜଣାଇଛନ୍ତି ।

BjdElectrycity

ପୁରସ୍କାର ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ । ଡକ୍ଟର ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି । ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ । ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି ।

 

ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଡକ୍ଟର ପଟ୍ଟନାୟକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷା କୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ଡକ୍ଟର ପଟ୍ଟନାୟକ ଙ୍କ ବହୁମୂଲ୍ୟ ଅବଦାନ ସର୍ବଜନବିଦିତ ।

 

ତେବେ ଏହି ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଓସେପା । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ନିମନ୍ତେ ୩ ତାରିଖରେ ବିଦ୍ୟାଳୟସ୍ତର, ୪ରେ ବ୍ଳକ୍ ଓ ୫ ତାରିଖରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସମଗ୍ର ଶିକ୍ଷାର “ଅଭିନବ ଶିକ୍ଷା” ଯୋଜନାରେ “ମାତୃଭାଷା ଦିବସରେ ପ୍ରଦର୍ଶନୀ” ନିମିତ୍ତ ପ୍ରତ୍ୟେକ ବିଦ୍ୟାଳୟକୁ ୩ ହଜାର ଟଙ୍କା ଓ ଗପ ଶୁଣିବା ଓ କହିବା ପାଇଁ ପ୍ରାଥମିକ ବିଦ୍ୟାଳୟକୁ ୧ ହଜାର ଟଙ୍କା ର ଆର୍ଥିକ ଅନୁଦାନ ଓସେପା ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ଏହି ଦୁଇଟି ଉପବିଭାଗ ନିମନ୍ତେ ଦିଆଯାଇଥିବା ଅର୍ଥରାଶିରୁ ବ୍ୟୟ କରାଯିବ ।

ଏନେଇ ସମସ୍ତ ୩୦ ଜିଲ୍ଲା ପାଇଁ ୧୫୬୨.୪୭ ଲକ୍ଷ ବ୍ୟୟ ବରାଦ ହୋଇଛି । ବିଦ୍ୟାଳୟ, ବ୍ଳକ୍ ଓ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରିବା ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଓସେପା । ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଛାତ୍ରଛାତ୍ରୀଙ୍କ ମନରେ ସ୍ଥାନୀୟ ଭାଷା ପ୍ରତି ସକାରାତ୍ମକ ମନୋଭାବ ସହିତ ଭଲପାଇବା ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହେବ । ଯାହା ସେମାନଙ୍କ ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବ ।

ବିଦ୍ୟାଳୟସ୍ତରୀୟ ଉତ୍ସବର ସର୍ବୋତ୍ତମ ପ୍ରକଳ୍ପ/ପ୍ରଦର୍ଶନୀ ଗୁଡ଼ିକ ବ୍ଳକସ୍ତରୀୟ ଉତ୍ସବରେ ୪ ତାରିଖ ଦିନ ପ୍ରଦର୍ଶିତ ହେବ । ଯଦି ସେହି ପ୍ରକଳ୍ପ/ପ୍ରଦର୍ଶନୀ ବ୍ଲକ୍ ସ୍ତରରେ ମନୋନୀତ ହୁଏ, ତେବେ ତାକୁ ୫ ତାରିଖରେ ଜିଲ୍ଲାସ୍ତରୀୟ ଉତ୍ସବରେ ପ୍ରଦର୍ଶନ କରାଯିବ । ଏହି ସମାରୋହ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ ।

ଏଥିସହ ସ୍ଥାନୀୟ ସଂସ୍କୃତି, ପରମ୍ପରା, ପ୍ରତିଭା ଏବଂ ଧାରଣାକୁ ପ୍ରୋତ୍ସାହିତ କରିବ । କେବଳ ଉପଭୋଗ କରିବା ଏହି ଉତ୍ସବର ଉଦ୍ଦେଶ୍ୟ ନୁହେଁ ବରଂ ଏହା ମାଧ୍ୟମରେ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖାଯାଇଛି । ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଖ୍ବାର ଭାବନା ଜାଗ୍ରତ କରି ସେମାନଙ୍କର ସାମଗ୍ରିକ ବିକାଶରେ ସାହାଯ୍ୟ କରିଵ ।

ସମସ୍ତ ବାର୍ତ୍ତାଳାପ ଓ କାର୍ଯ୍ୟକଳାପରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଯାହା ଓଡ଼ିଆ ଭାଷା ଓ ସଂସ୍କୃତିର ସଂରକ୍ଷଣ ତ‌ଥା ପ୍ରଚାର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବ ଏବଂ ଦାୟିତ୍ବବୋଧ ଜାଗ୍ରତ କରିବାରେ ସହାୟକ ହେବ ।

Leave A Reply

Your email address will not be published.