Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ସୌଭାଗ୍ୟ କୁମାର ମିଶ୍ରଙ୍କ ଦ୍ୱା ସୁପର୍ଣ୍ଣାର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସୌଭାଗ୍ୟ କୁମାର ମିଶ୍ରଙ୍କ ପ୍ରସିଦ୍ଧ ଓଡ଼ିଆ କୃତି ଦ୍ୱା ସୁପର୍ଣ୍ଣାର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଶୁକ୍ରବାର ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ, ଖାରବେଳ ନଗରଠାରେ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

କେତକୀ ବୁକ୍ସ ପ୍ରକାଶିତ ଏହି ପୁସ୍ତକର ଇଂରାଜୀ ଅନୁବାଦ କରିଛନ୍ତି ରବୀନ୍ଦ୍ର କୁମାର ସ୍ୱାଇଁ । ବିଶିଷ୍ଟ ଗବେଷକ ଓ ଲେଖକ ପ୍ରଫେସର କାଳିଦାସ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୌଭାଗ୍ୟକୁମାର ମିଶ୍ରଙ୍କ ସାହିତ୍ୟର ଗଭୀରତା ଓ ସମକାଳୀନ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ସେ ଓଡ଼ିଆ ସାହିତ୍ୟକୁ ବ୍ୟାପକ ପାଠକମଣ୍ଡଳୀଙ୍କ ପାଖକୁ ପହଞ୍ଚାଇବାରେ ଅନୁବାଦର ଭୂମିକାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

ସନ୍ଧ୍ୟାର ଆୟୋଜନରେ ପୁସ୍ତକରୁ ନିର୍ବାଚିତ କବିତାଗୁଡ଼ିକର ଓଡ଼ିଆ ଓ ଇଂରାଜୀ ପାଠ ଅନୁଷ୍ଠିତ ହୋଇଥିଲା । କବି କେଦାର ମିଶ୍ର “ଇରାନ” କବିତାଟିର ଓଡ଼ିଆ ପାଠ କରିଥିବାବେଳେ ଏହାର ଇଂରାଜୀ ଅନୁବାଦ “Iran”କୁ ଭରଦ୍ୱାଜ ମିଶ୍ର ପାଠ କରିଥିଲେ । ସେହିପରି କବି ଶକ୍ତି ମହାନ୍ତି “ଦ୍ୱାର” ପାଠ କରିଥିବାବେଳେ ଏହାର ଇଂରାଜୀ ଅନୁବାଦ “Door”କୁ ମନୁଆ ଦାଶ ପାଠ କରିଥିଲେ ।

ଅନୁବାଦକ ରବୀନ୍ଦ୍ର କୁମାର ସ୍ୱାଇଁ ପୁସ୍ତକଟିର ଅନୁବାଦ ଅଭିଜ୍ଞତା ଉପରେ ନିଜର ମତାମତ ରଖିଥିବାବେଳେ ଲେଖକ ସୌଭାଗ୍ୟକୁମାର ମିଶ୍ର ପୁସ୍ତକର ସୃଜନ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପାଠକ, ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନଙ୍କ ସହ ଏକ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଶେଷରେ କପିଳାସ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

କେତକୀ ବୁକ୍ସ ଦ୍ଵାରା ପ୍ରକାଶିତ ଏହି ପୁସ୍ତକଟି ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କେତକୀ ବୁକ୍ସ ଷ୍ଟୋର ସହିତ ଆମାଜନ୍ ଓ ଫ୍ଲିପକାର୍ଟରେ ମଧ୍ୟ ଉପଲବ୍ଧ, ଯାହା ଦେଶର ବିଭିନ୍ନ ସ୍ଥାନର ପାଠକମାନଙ୍କ ପାଖକୁ ପୁସ୍ତକଟିକୁ ପହଞ୍ଚାଇବ ।

ସମଗ୍ର କାର୍ଯ୍ୟକ୍ରମଟି ଫଂସବୂକରେ ସିଧାପ୍ରସାରଣ କରାଯାଇଥିଲା, ଯାହା ଫଳରେ ଉକ୍ତ ସନ୍ଧ୍ୟାରେ ଯୋଗଦେଇପାରିନଥିବା ସାହିତ୍ୟପ୍ରେମୀମାନଙ୍କ ସହିତ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସାହିତ୍ୟପ୍ରେମୀମାନେ ମଧ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିଥିଲେ ।

Comments are closed.