Latest Odisha News

BREAKING NEWS

ପିହୁ ନିଖୋଜ ହେବା ପରଠୁ ‘ରାକ୍ଷୀ ପୁର୍ଣ୍ଣିମା’ ପାଳୁନାହାଁନ୍ତି ପରିବାର ଲୋକେ

The family is not celebrating 'Rakhi Purnima' since 'Pihu' went missing

ଯାଜପୁର: ଆସୁଛି ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ପବିତ୍ର ବନ୍ଧନର ପର୍ବ ରକ୍ଷା ବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା । ଏହା ପ୍ରତ୍ୟେକ ଭାଈ ଓ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ବ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନ୍ଧେ ।  ଭଉଣୀ ଯେତେ ଦୂରରେ ଥିଲେ ବି ଭାଈ ପାଖକୁ ଚାଲିଆସେ ରାକ୍ଷୀ  ବାନ୍ଧିବା ପାଇଁ । କିନ୍ତୁ ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣା ପର ଠାରୁ ରାକ୍ଷୀ ପୁର୍ଣ୍ଣିମା ପାଳନ କରୁନାହାଁନ୍ତି ପରିବାର ଲୋକେ । ଗତ ୩ ବର୍ଷ ହେଲା ପିହୁ ନିଖୋଜ ହେବା ପରଠୁ ରାକ୍ଷୀ ପୁର୍ଣ୍ଣିମାରେ ତା’ ସାନ ଭାଈର ହାତ ଖାଲି ରହୁଛି । ଯାହାକୁ ଦେଖି ପରିବାର ଲୋକେ ପିହୁକୁ ଝୁରି ହେଉଛନ୍ତି ।

ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇଟି ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବାକୁ ଅପେକ୍ଷା କରେ । ଭାଈ ଓ ଭଉଣୀର ସେହି ପବିତ୍ର ବନ୍ଧନ ଆଗରେ ସବୁ ସଂପର୍କ ଫିକା ପଡେ ।  ଏ ହେଉଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗାଁରୁ ପିହୁ ନିଖୋଜ ଘଟଣା । ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର କୌଣସି ଖୋଜ୍ ଖବର ମିଳିପାରୁନାହିଁ । କିନ୍ତୁ ଶୁଭମ୍ ଏବେବି ତା’ ଭଉଣୀର ଫେରିବା ବାଟକୁ ଚାହିଁ ବସିଛି । ତା’ ଭଉଣୀ ଫେରି ଆସିବା ପାଇଁ ଠାକୁର ଘରେ ପୂଜାର୍ଚ୍ଚନା କରୁଛି । ଭଉଣୀ ପିହୁ ଆସିବ ଆଉ ତା’ ହାତରେ ରାକ୍ଷୀ ବାନ୍ଧିବ ବୋଲି ସେ ବିଶ୍ୱାସ ରଖିଛି ।

ଗତ ୨୦୨୦ ମସିହା ଅଗଷ୍ଟ ୯ ତାରିଖ, ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ପିହୁ ନିଖୋଜ ହୋଇଯାଇଥିଲା । ଏହା ଏକ ଅପହରଣ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଏ ନେଇ ବର୍ତମାନ ସୁଦ୍ଧା ପିହୁର ମା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଖବର ମିଳିପାରିନାହିଁ । ପ୍ରତିଦିନ ପିହୁକୁ ଖୋଜିବା ପାଇଁ ପରିବାର ଲୋକେ ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନାହିଁ । ତେଣୁ ପରିବାର ଲୋକେ ସିବିଆଇ ତଦନ୍ତ ପାଇଁ ଦାବୀ କରୁଛନ୍ତି । ତୁରନ୍ତ ପିହୁକୁ ଖୋଜି ଆଣି ଦିଅନ୍ତୁ ଏବଂ ଜଣେ ଭାଈକୁ ତା’ ଭଉଣୀ ଫେରାଇ ଦିଅନ୍ତୁ ବୋଲି ପରିବାର ଲୋକେ ଦାବୀ କରିଛନ୍ତି । ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ପିହୁର କୌଣସି ପତା ମିଳୁନି । ଏଭଳି ସ୍ଥିତିରେ ପରିବାର ଲୋକେ ନାନା ଦୁଃଶ୍ଚିନ୍ତାରେ ଦିନ କାଟୁଛନ୍ତି । ଏନେଇ ରାଜ୍ୟସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.