ଭୁବନେଶ୍ୱର: ‘ମହିମା ଅଲେଖ’ ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI)ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ହିମାଂଶୁ ଶେଖର ଖଟୁଆ । ଓଡିଶାରେ ଜନ୍ମିତ ମହିମା ଧର୍ମ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର ।
କାଦମ୍ବିନୀ ମିଡିଆ ଓ ଡିଜି ଏଫ୍ ଫାଇଭ୍ ସି’ର ମିଳିତ ବ୍ୟାନରରେ ନିର୍ମିତ ତଥା ଡ.ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ହେଉଛନ୍ତି ଡ.ଇତି ସାମନ୍ତ ଓ ଡ.ସ୍ନେହାଶ୍ରୀ ସ୍ୱାଇଁ । ପୂର୍ବରୁ ମଧ୍ୟ ମହିମା ଧର୍ମ ଆଧାରରେ ଚଳଚ୍ଚିତ୍ର ‘ଶୂନ୍ୟସ୍ୱରୂପ’ ନିର୍ମାଣ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ଓଡିଶାର ଧର୍ମ ପ୍ରବାହରେ ମହିମା ଧର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏକ ବିଶେଷ ପୃଷ୍ଠଭୂମିରେ ଏହାର ଉଦ୍ଭବ ହୋଇଛି ଏବଂ ଓଡିଶାର ଧର୍ମଧାରାରେ ଏହାର ବିଶେଷ ସ୍ଥାନ ରହିଛି । ମହିମା ଧର୍ମର ମହତ୍ତ୍ଵ ଓ ମହାନତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ଖଟୁଆଙ୍କର ଏହା ଏକ ସୁନ୍ଦର ପ୍ରୟାସ । ‘ମହିମା ଅଲେଖ’ ଟିମ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।
Comments are closed.