ସମ୍ବଲପୁର: ରବିବାର ଅର୍ଥାତ୍ ଆଜି ହୀରାକୁଦ ଛାଡ଼ିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍ ଖୋଲାଯାଇଥିବା ସୂଚନା ରହିଛି । ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ ୬୦୯.୦୬ ଫୁଟ ଉଚ୍ଚତାର ଜଳ ରହିଛି ।
ଏହି ସମୟରେ ଜଳଭଣ୍ଡାରକୁ ୧,୩୦,୦୨୮ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩୮୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ସେଥିରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପାୱାର ଚାନେଲ ଦେଇ ୩୪,୩୧୩ କ୍ୟୁସେକ୍ ଓ ଜଳସେଚନ ପାଇଁ ୩୨୨୩ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୩୪ କ୍ୟୁସେକ୍ ପାଣି ଟାଣୁଛନ୍ତି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏହି ଗେଟ୍ ଖୋଲାଯାଇଛି । ବନ୍ୟାଜଳ ନିୟନ୍ତ୍ରଣ ଲାଗି ବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ଼ରେ କ୍ରମାଗତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଉପରେ ଥିବା କଲମା ଆନିକଟର ସମସ୍ତ ଫାଟକ ଖୋଲି ଦିଆଯାଇଥିଲା । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା ।
ଅପରପକ୍ଷେ ନଦୀବନ୍ଧରୁ ଫାଟକ ଖୋଲାଯିବାକୁ ନେଇ ତଳମୁଣ୍ଡରେ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବାର୍ତ୍ତା ପଠାଯାଇଛି । ଅନୁରୂପ ଭାବେ ସମ୍ବଲପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଳଭଣ୍ଡାରର ଫାଟକ ଖୋଲିବା ନେଇ ପ୍ରଚାର ଓ ଜନସଚେତନତା କରାଯାଉଛି । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Comments are closed.