Latest Odisha News

BREAKING NEWS

ପୁରୀରେ ଭିଡ ଅସମ୍ଭାଳ: ପାର୍କିଂ ଫୁଲ୍, ଗାଡି ପାସ୍ ରଦ୍ଦ କଲା ପୁରୀ ପ୍ରଶାସନ

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଠାରୁ ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ମହାପ୍ରଭଙ୍କୁ ଦେଖିବାକୁ ଭିଡ ବଢୁଥିବା ବେଳେ ଏବେ ପ୍ରାୟ ପୁରୀରେ ଥିବା ସମସ୍ତ ପାର୍କି ସ୍ଲଟ୍ ପୂରଣ ହୋଇସାରିଲାଣି । ଯାହାକୁ ଦୃଷ୍ଟିରେ ରଖି ଆଜି ପୁରୀ ଆସିବାକୁ ପୋଲିସ୍ ପକ୍ଷରୁ ସତର୍କ ଜାରି ହୋଇଥିବା ବେଳେ ଅତ୍ୟଧିକ ଯାତ୍ରୀ ଆଗମନ ଯୋଗୁଁ ଯାନବାହାନ ପାସକୁ ରଦ୍ଦ କରାଯାଇଛି । ଏଥିସହିତ ବାଟଗାଁ ଏବଂ ମାଳତୀପାଟପୁରରେ ଅପେକ୍ଷା ସମୟ ପ୍ରାୟ ୧ ଘଣ୍ଟାରୁ ଅଧିକ ହୋଇପାରେ ବୋଲି ଆଗୁଆ ଶ୍ରଦ୍ଧାଳୁଙ୍କୁ ସତର୍କ କରାଇଛନ୍ତି ପୋଲିସ୍ ପ୍ରଶାସନ । ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ନିବେଦନ କରିଛି ପୋଲିସ।

ସେପଟେ ଜନ୍ମବେଦୀରୁ ବାହୁଡି ଏବେ ରତ୍ନବେଦୀ ମୁହାଁଇଛନ୍ତି ଚତୁର୍ଦ୍ଧାମୁରତି । ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଆଜି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅପରାହ୍ଣରେ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ସଜିତ କରାଯିବ । ମହଣ ମହଣ ସ୍ବର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ଝଟକିବେ ମହାବାହୁ । ଅପରାହ୍ଣ ପ୍ରାୟ ୪ଟା ଠାରୁ ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ ।

ତେବେ ମହାପ୍ରଭୁଙ୍କ ସବୁ ବେଶ ଠାରୁ ସୁନା ବେଶ ବେଶ୍ ଆକର୍ଷଣୀୟ । ବର୍ଷକରେ ଥରେ ରଥ ଉପରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥାଏ। ତେଣୁ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଏବେଠୁ ବାରି ହୋଇପଡୁଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ବି ଭକ୍ତଙ୍କ ବଢୁଥିବା ଭିଡ ଯୋଗୁଁ ସତର୍କ କରାଇଛି ପୋଲିସ୍ । ବ୍ୟାରିକେଡ୍ ଦେଇ ରଥାରୁଢ଼ ଶ୍ରୀଜିଙ୍କର ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କ ଅଧରପଣା । ମଙ୍ଗଳବାର ନୀଳାଦ୍ରିବିଜେରେ ନୀଳକନ୍ଦର ବାହୁଡ଼ିବେ ନୀଳମଣି ।

Comments are closed.