Latest Odisha News

ଏଥର ଜମିବ ଜିରୋ ନାଇଟ, ମାର୍ଗଦର୍ଶିକା ଜାରୀ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଆଉମାତ୍ର ଦିନ ୪ଟିର ଅପେକ୍ଷା । ସରିବ ବର୍ଷ ୨୦୨୩ । ଆରମ୍ଭ ହେବ ବର୍ଷ ୨୦୨୪ । ନୂଆବର୍ଷର ସ୍ଵାଗତ ପାଇଁ ଏବେ ଚଳଚଞ୍ଚଳ ପୁରପଲ୍ଲୀ । ସହର ଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡେ ଏବେ ଖୁସୀର ମାହୋଲ । କାରଣ ଚଳିତ ବର୍ଷ ନୂଆବର୍ଷ ସବୁ ବର୍ଷଠାରୁ ଟିକିଏ ଖାସ୍ । କାରଣ ଆସନ୍ତାବର୍ଷ ଆରମ୍ଭରୁ ହିଁ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମଧ୍ୟ ଉଦଘାଟନ ହେବ । ସେଥିପାଇଁ ଚାରିଆଡେ ଏବେ ଆଧ୍ୟାତ୍ମିକ ପରିବେଶ । ଅନ୍ୟପଟେ ନୂଆବର୍ଷକୁ ସ୍ଵାଗତ କରିବାକୁ ହୋଟେଲ ସହ କ୍ଲବ୍‌, ରେଷ୍ଟୁରାଣ୍ଟ ସବୁଆଡେ଼ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଏହାକୁ ନଜରରେ ରଖି କମିସନରେଟ୍‌ ପୁଲିସ ୧୨ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କରିଛି।

ରାତି ୧୨.୩୦ ଯାଏ ହୋଟେଲ୍‌ ଓ ବାର୍‌ ଖୋଲିବାକୁ ଗାଇଡଲାଇନରେ ଜାରି କରାଯାଇଛି । ଯଦି ଅଧିକ ସମୟ ଖୋଲିବେ ସେଥିପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡିବ । ଅନୁମତି ନଆଣି ବାର୍‌ ଖୋଲିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂଗୀତ କାର୍ଯ୍ୟକ୍ରମ କରିବାକୁ ଥିଲେ ଲାଉଡ୍‌ସ୍ପିକର ନିୟମ ମାନି ଅର୍ଥାତ୍ ୬୫ ଡେସିବଲ୍‌ ପର୍ଯ୍ୟନ୍ତ ଶବ୍ଧ ବଜାଇ ପାରିବେ । ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ଓ କୋର୍ଟ ଥିବା ଅଞ୍ଚଳର ୧୦୦ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାରର ସଙ୍ଗୀତ କାର୍ଯ୍ୟକ୍ରମ ଓ ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇ ପାରିବ ନାହିଁ।

ଆୟୋଜକ ସଂସ୍ଥା କାର୍ଯ୍ୟକ୍ରମ ସମୟରେ କୌଣସି ଅଶ୍ଳୀଳତା, କିମ୍ୱା ଶରୀରର ଅନୈତିକ ପ୍ରଦର୍ଶନ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ । ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି ବାଲ୍ଟି ଇତ୍ୟାଦି ଉପଲବ୍ଧତା ସହିତ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ । ହୋଟେଲ ଏବଂ ବାର ପକ୍ଷରୁ ପାର୍କିଂ ପାଇଁ ସ୍ଵତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିବ । ଆସୁଥିବା ଗ୍ରାହକ ମାତ୍ରାଧିକ ମଦ୍ୟପାନ ପ୍ରତି ଧ୍ୟାନ ଦେବେ ହୋଟେଲ୍ ଓ ବାର୍ କର୍ତ୍ତୃପକ୍ଷ ।

ନୂଆ ବର୍ଷକୁ ଧୁମଧାମରେ ପାଳିବା ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ନାହିଁ ଉତ୍ସାହ ଦେଖିବାକୁ ମିଳେ । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ କଟକଣା ଲାଗୁ କରିଛି କମିଶନରେଟ ପୋଲିସ । ବାର୍ ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.