Latest Odisha News

ଭାଙ୍ଗ ଅଟାରୁ ପିଜା ଓ ବର୍ଗର ତିଆରି କରୁଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର

ନୂଆଦିଲ୍ଲୀ: ଯିଏ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିପାରେ, ସେ ସଫଳତାର ସିଢିର ଉପରକୁ ଚଢିପାରେ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଦେଖାଇଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର ଧବଲ୍ ପଞ୍ଚାଲ୍ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ ତାଙ୍କ ପିଜା, ବର୍ଗର କେଉଁଥିରୁ ତିଆରି ହେଉଛି । ପିଜା, ବର୍ଗର ପାଇଁ ମଇଦା ଦରକାର । ଧବଲ୍ ମଇଦା ସହିତ ମିଶାନ୍ତି ଭାଙ୍ଗ ଅଟା । ଏହି ମିଶ୍ରିତ ଡୋ’ରେ ତିଆରି କରନ୍ତି ପିଜା ଓ ବର୍ଗର ।

ପିଜା-ବର୍ଗର ଡୋ’ ରେ ରହିଛି ୬୦ ପ୍ରତିଶତ ମଇଦା ଓ ୪୦ ପ୍ରତିଶତ ଭାଙ୍ଗ ଅଟା । ୧୦୦ ପ୍ରତିଶତ ଭାଙ୍ଗ ଅଟାରେ ପିଜା କିମ୍ୱା ବର୍ଗର ପ୍ରସ୍ତୁତ କଲେ, ସେଗୁଡିକ ନିମ ଭଳି ପିତା ହୋଇଯିବ । ଧବଲ୍ କୁହନ୍ତି, ପୂରା ଭାଙ୍ଗଗଛରେ ନିଶା ହୁଏନାହିଁ । କେବଳ ଗଞ୍ଜେଇ ଗଛର ପତ୍ର ଓ ଫୁଲରେ ନିଶା ରହେ । ହେଲେ ଭାଙ୍ଗ ଅଟା ଗଞ୍ଜେଇ ଗଛର ମଞ୍ଜିରୁ ପ୍ରସ୍ତୁତ ହୁଏ, ଯେଉଁଥିରେ ଆଦୌ ନିଶା ହୁଏନାହିଁ ।

ଧବଲ୍ ଏହି ବ୍ୟବସାୟକୁ ଆପଣେଇବାର କାରଣ ତାଙ୍କ ବାପାଙ୍କ କ୍ୟାନସର । ସେ କହିଥିଲେ, କ୍ୟାନସର ଦୁଇଟି ଚିକିତ୍ସା ବିଷୟରେ ସମସ୍ତେ ଜାଣନ୍ତି । ଗୋଟିଏ କେମୋଥେରାପି ଓ ଅନ୍ୟ ଗୋଟିଏ ରେଡିଏସନ ଥେରାପି । ସେ ଇଣ୍ଟରନେଟରେ ସର୍ଚ୍ଚ କରିବା ଆରମ୍ଭ କରିଥିଲେ ଓ ଆଉ ଏକ ଚିକିତ୍ସା ବିଷୟରେ ଜାଣିବାକୁ ପାଇଥିଲେ । କ୍ୟାନବିଲ ଅଏଲ୍ ବା ଭାଙ୍ଗ ତେଲ ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । କ୍ୟାନସର ଚିକିତ୍ସାରେ ଏହାକୁ ବ୍ୟବହାର କରାଯାଏ ।

ଭାରତରେ ଏହାର ବ୍ୟବସାୟ ବେଆଇନ । ତେବେ ମେଡିକାଲ ବ୍ୟବହାର ପାଇଁ ଅନୁମତି ରହିଛି । ପରେ ସେ ଭାଙ୍ଗତେଲ କିଣିଥିଲେ, ହେଲେ ଡ଼େରି ହୋଇଯାଇଥିବାରୁ ତାଙ୍କ ବାପା ବଞ୍ଚିନଥିଲେ । ୨୦୧୬ରେ ସେ ମୁମ୍ୱାଇରେ ବମ୍ବେ ହ୍ୟାମ୍ପ କମ୍ପାନୀରେ ଯୋଗ ଦେଲେ । ଏଠାରେ ସେ ମେଡିକେଟେଡ୍ କ୍ୟାନବିସ୍ ପ୍ରଡକ୍ଟ ଅର୍ଥାତ୍ ଭାଙ୍ଗରୁ ଔଷଧ ସାମଗ୍ରୀ ପ୍ରସ୍ତୁତି କରନ୍ତି । ଏହାପରେ ସେ ଭାଙ୍ଗରୁ ଖାଦ୍ୟ ପାନୀୟ ପ୍ରସ୍ତୁତି ସମ୍ପର୍କରେ ଭାବିଥିଲେ ।

୨୦୨୧ରେ ଏଫଏସଏସଏଆଇ ଭାଙ୍ଗରୁ ଖାଦ୍ୟ ପାନୀୟ ପ୍ରସ୍ତୁତିକୁ ମଞ୍ଜୁରି ଦେବା ପରେ ସେ ଭାଙ୍ଗ ଫାଷ୍ଟ ଫୁଡ୍ ବନେଇବାକୁ ଚିନ୍ତା କଲେ । ଏବେ ସାଙ୍ଗ ଓ ତାଙ୍କ ପତ୍ନୀଙ୍କ ସହ ମିଶି ଦ ହ୍ୟାମ୍ପ ଫ୍ୟାକ୍ଟ୍ରି ଖୋଲିଛନ୍ତି । ୨୫ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ତାଙ୍କର ଭାଙ୍ଗ ପିଜା, ବର୍ଗର ଖାଇବାକୁ ଲମ୍ୱା ଲାଇନ ଲାଗୁଛି ।  ଦିନକୁ ପ୍ରାୟ ୧୫ରୁ ୨୦ ଅର୍ଥାତ୍ ମାସକୁ ୫ଶହରୁ ବେଶୀ ଅନଲାଇନ ଅର୍ଡର ଆସୁଛି । ତାଙ୍କ ପାଖରେ ୭ଜଣ କାମ କରୁଛନ୍ତି । ଇ-କମର୍ସ ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମରେ ତାଙ୍କ ବିଜନେସ୍ ଚାଲୁଛି । ଖୁବଶୀଘ୍ର ସେ ଆଉଟଲେଟ୍ ଖୋଲିବାକୁ ଯୋଜନା ରଖିଛନ୍ତି ।

 

Comments are closed.