ନୂଆଦିଲ୍ଲୀ: ଭାରତରେ ଥିବା ବିବିସିର ଏକାଧିକ କାର୍ଯ୍ୟାଳୟ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଦିଲ୍ଲୀ ସ୍ଥିତ ବିବିସି କାର୍ଯ୍ୟକାଳୟ ଉପରେ ଆୟକର ବିିଭାଗ ଚଢାଉ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି । ଏଥି ସହ ସେମାନଙ୍କୁ କାର୍ଯ୍ୟାଳୟ ଛାଡି ଚାଲି ଯିବାକୁ ମଧ୍ୟ କୁହାଯାଇଛି।
ସକାଳ ୧୧ଟା ୨୦ ମିନିଟରେ ଦିଲ୍ଲୀ କସ୍ତୁରବା ଗାନ୍ଧି ରୋଡ ସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ ଆଇଟି ଅଧିକାରୀମାନେ ଚଢଉ କରିଥିଲେ । ସମସ୍ତ କର୍ମଚାରୀଙ୍କ ମୋବାଇଲ ଓ ଲାପଟପ ଜବତ କରି ନେଇଥିଲେ । ସର୍ଭେ ନ ସରିବା ପର୍ଯ୍ୟନ୍ତ କାହାକୁ କାର୍ଯ୍ୟାଳୟକୁ ସିଲ କରିଦିଆ ଯାଇଛି ।
ପରେ ଆୟକର ଅଧିକାରୀ ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର କମ୍ପ୍ୟୁଟରରୁ ତଥ୍ୟ ସଂଗ୍ରହ କରୁଥିବା ମଧ୍ୟ ଜଣାଯାଇଛି । ଆକାଉଣ୍ଟ ବିଭାଗର କୌଣସି କର୍ମଚାରୀଙ୍କୁ ବାହାରକୁ ଯିବା ପାଇଁ କଟକଣା ଜାରି କରିିଛି ବିଭାଗ ।
ଏଥିସହିତ ବିବିସି ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାାଳୟ ଉପରେ ମଧ୍ୟ ଆଇଟି ପକ୍ଷରୁ ଚଢାଉ କରାଯାଇଛି । ଇନକମ ଟାକ୍ସ ବିଭାଗ ଅଧିକାରୀମାନେ ଏକ ସର୍ଭେ ପାଇଁ ଭେରିଫିକେସନ କରିବା ଲାଗି ବିବିସି ଅଫିସ ଯାଇଥିବା କୁହାଯାଉଛି । ଅନ୍ୟପକ୍ଷେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି ।
ଆୟକର ଚଢାଉ ସଂପର୍କରେ ଟିଏମସି ସାଂସଦ ମହୁଆ ମୋଇତ୍ରୀ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ସୂଚନାଥାଉ କି, କିଛିଦିନ ତଳେ ବିବିସି ୨୦୦୨ ଗୁଜରାଟ ଦଙ୍ଗା ଉପର ଏକ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏପରିକି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତେବେ କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ ।
Comments are closed.