ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ୍ ପରଠାରୁ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଏହି ଫିଲ୍ମ ବିରୋଧସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ପଶ୍ଚିମବଙ୍ଗରେ ଏହି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଏହି ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ମାଲିକ ରାଜି ହେଉନାହାନ୍ତି । କିନ୍ତୁ ଏବେ ଉତ୍ତର ୨୪ ପ୍ରଗାଣାର ବାଙ୍ଗାଓଁ ହଲରେ ଏହି ଫିଲ୍ମ ରିଲିଜ୍ ହୋଇଛି । ହଲ୍ରେ ହାଉସଫୁଲ ମଧ୍ୟ ରହୁଛି । ଦର୍ଶକ ଏହି ଫିଲ୍ମକୁ ବହୁମାତ୍ରାରେ ପସନ୍ଦ ବି କରିଛନ୍ତି । ଅନ୍ୟ ହଲଗୁଡ଼ିକରେ ଦୁଇ ତିନି ସପ୍ତାହ ପରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ଜଣାଯାଇଛି ।
ନିକଟରେ ପଶ୍ଚିମବଙ୍ଗ ଚଳଚ୍ଚିତ୍ରର ବିତରକ ସତ୍ୟଦୀ ଶାହା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଫିଲ୍ମ ‘ଦ କେରଲା ଷ୍ଟୋରି’ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏବେ ରିଲିଜ୍ ହେବାକୁ ସୁପ୍ରିମକୋର୍ଟ ଅନୁମତି ଦେଇ ସାରିଛନ୍ତି । ତଥାପି ରାଜ୍ୟରେ କୌଣସି ସିଙ୍ଗଲ ସ୍କ୍ରିନ ଏବଂ ମଲ୍ଟିପ୍ଲେକ୍ସ ଏହି ଫିଲ୍ମ ରିଲିଜ୍ କରିବାକୁ ଆଗକୁ ଆସୁନାହାନ୍ତି । ଏନେଇ ଆମେ ହଲ ମାଲିକ ଏବଂ ମଲ୍ଟିପ୍ଲେକ୍ସ ଅଧିକାରୀଙ୍କ ସହ ଆଲେଚନା ମଧ୍ୟ କରିଛୁ । ଏବେ ଫିଲ୍ମ ଦେଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ ଜାଣିବା ସତ୍ତ୍ୱେ ହଲମାଲିକମାନେ ଏହାକୁ ରିଲିଜ କରିବାକୁ ରାଜି ହେଉନାହାନ୍ତି ।
Comments are closed.