Latest Odisha News

ଶୁଖିଲା ଖାଦ୍ୟ ମହଜୁଦ ଓ ନିରବଚ୍ଛନ୍ନ ଜଳାଯୋଗଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଗୁରୁବାର ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ ‘ଦାନା’ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ବାତ୍ୟାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ବିଭିନ୍ନ ଜିଲ୍ଲା ତଥା ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଂଚଳର ଉଚ୍ଚପଦସ୍ତ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।
ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ଅବସ୍ଥାରେ ତ୍ୱରିତ ସେବା ପ୍ରଦାନ ଉପରେ ମନ୍ତ୍ରୀ ଡ଼ା.ମହାପାତ୍ର ଗୁରୁତ୍ୱ ଦେଇଥିଲେ । ତଳିଆ ଅଞ୍ଚଳ ଓ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ବୁଧବାର ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆସନ୍ନ ପ୍ରସବା, ପ୍ରସୂତି ମା ଓ ଶିଶୁ, ଭିନ୍ନକ୍ଷମ ଏବଂ ନିରାଶ୍ରୟ ବ୍ୟକ୍ତିଙ୍କୁ ବାତ୍ୟା ସମୟରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବା ଉପରେ ମନ୍ତ୍ରୀ ଡ଼ା. ମହାପାତ୍ର ଗୁରୁତ୍ୱାରୋପ କରିଥିଲେ ।

ବୈଠକ ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେହିଭଳି ଆଶ୍ରୟସ୍ଥଳୀ ଗୁଡିକରେ ଚୁଡା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ମହଜୁଦ ରଖିବା, ଦୁଇବେଳା ରନ୍ଧା ଖାଦ୍ୟ ପ୍ରଦାନ, ପଶୁଖାଦ୍ୟ, ଔଷଧ, ପାନୀୟଜଳ ଓ ଆଲୋକୀକରଣ ପାଇଁ ଡିଜି ବ୍ୟବସ୍ଥା କରାଯାଇଥିବା ନେଇ ମନ୍ତ୍ରୀଙ୍କୁ ସେ ସୂଚନା ଦେଇଥିଲେ ।

ବାତ୍ୟାଜନିତ ବର୍ଷା ଜଳ ନିଷ୍କାସନ ଓ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ଅଧିକାରୀ ମାନଙ୍କୁ ଶ୍ରୀମତୀ ପାଢ଼ୀ କହିଥିଲେ । ବାତ୍ୟା ପରବର୍ତ୍ତୀ ଯୋଗାଯୋଗ, ପରିମଳ ବ୍ୟବସ୍ଥା ଭଳି ଆବଶ୍ୟକୀୟ ସେବା ତ୍ୱରାନ୍ୱିତ କରିବାକୁ ସେ କହିଥିଲେ ।

Leave A Reply

Your email address will not be published.